କନକ ବ୍ୟୁରୋ: ଦିଲ୍ଲୀ କାଞ୍ଝିୱାଲର ବହୁ ଚର୍ଚ୍ଚିତ ହିଟ୍ ଆଣ୍ଡ ରନ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦିଲ୍ଲୀ ପୁଲିସ ସିସିଟିଭି ଫୁଟେଜ ଓ ଅଭିଯୁକ୍ତଙ୍କ ବୟାନ ଆଧାରରେ ଛାନଭିନ କରୁଛନ୍ତି । ଏହା ଭିତରେ ଗିରଫ ୬ଜଣ ଅଭିଯୁକ୍ତ କାଳରାତିରେ ଘଟାଇଥିବା ଜଘନ୍ୟ ଅପରାଧକୁ ସ୍ୱୀକାର କରିଛନ୍ତି । ଅଞ୍ଜଳୀଙ୍କ ସ୍କୁଟି ସହ ଅଭିଯୁକ୍ତଙ୍କ କାର ଧକ୍କା ହେବା ପରେ ଅଞ୍ଜଳୀଙ୍କ ଗୋଡ କାର ଚକାରେ ଫଶି ରହିଥିଲା । ଏହାକୁ ଦେଖି ଭୟଭୀତ ହୋଇଥିଲେ ଓ ଜାଣିଶୁଣି ଅଞ୍ଜଳୀଙ୍କୁ ୧୨ କିଲୋମିଟର ରାସ୍ତା ଘୋଷାଡି ଘୋଷାଡି ନେଇଥିଲେ । କେବଳ ସେତିକ ନୁହେଁ କାରରୁ ଅଞ୍ଜଳୀଙ୍କ ଶରୀରକୁ ବାହାର କରିବା ପାଇଁ ୪ଟି ଟର୍ଣ୍ଣି ପଏଣ୍ଟରେ ଗାଡିର ମୋଡ ମଧ୍ୟ ବଦଳାଇଥିଲେ ଅଭିଯୁକ୍ତ । ପୁଲିସର ଜେରା ସମୟରେ ଏଭଳି କିଛି ବୟାନ ଦେଇଛନ୍ତି ଅଭିଯୁକ୍ତ ।

Advertisment

କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ଭିନ୍ନ ଭିନ୍ନ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ନିକଟରେ ଘଟିଥିବା ଦିଲ୍ଲୀ ହିଟ ଆଣ୍ଡ ରନର ଛାତିଧରା କାହାଣୀ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି । ତେବେ ଘଟଣାରେ ଦୋଷ ସ୍ୱୀକାର କରିଛି ନୃଶଂସ ଅଭିଯୁକ୍ତ । ନିଜ ଦୋଷକୁ ଲୁଚାଇବାକୁ ଯାଇ କିପରି ଜଣଙ୍କ ଜୀବନ ନେଇଛି ଅଭିଯୁକ୍ତ ତାହାକୁ ସ୍ୱୀକାର କରିଛି ।

ସେପଟେ ନୂଆବର୍ଷର ସେହି କାଳରାତ୍ରିରେ ଅଞ୍ଜଳୀଙ୍କ ସହ ଥିବା ତାଙ୍କ ବାନ୍ଧବୀଙ୍କ ବୟାନକୁ ନେଇ ସନ୍ଦେହ ବୃଦ୍ଧି ପାଉଛି । ସିସିଟିଭି ଫୁଟେଜ ଓ ନିଧିଙ୍କ ବୟାନରେ ତାଳମେଳ ଖାଉନି । ଅନ୍ୟପଟେ ମୃତ ଅଞ୍ଜଳୀଙ୍କ ପରିବାର ମଧ୍ୟ ନିଧିଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସବୁଠୁ ବଡ କଥା ହେଉଛି ନିଧି ୨୦୨୦ ମସିହାରେ ଆଗ୍ରାରୁ ହାଇଦ୍ରାବାଦ ଡ୍ରଗ୍ସ ଚାଲାଣ କରୁଥିବା ସମୟରେ ଗିରଫ ହୋଇଥିଲେ । ଯାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ଦିଲ୍ଲୀ ପୁଲିସ।

ତେବେ ଦିଲ୍ଲୀର ହିଟ ଆଣ୍ଡ ରନ ମାମଲାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସୁଛି ।
-ଅଭିଯୁକ୍ତଙ୍କ ବୟାନକୁ ନେଇ ବଢ଼ୁଛି ସନ୍ଦେହ
- ବାନ୍ଧବୀ ନିଧିଙ୍କ ଭୂମିକାକୁ ନେଇ ଉଠୁଛି ବଡ଼ ପ୍ରଶ୍ନ
-ବାନ୍ଧବୀ ନିଧି ଏବଂ ମୃତ ଅଂଜଳିଙ୍କ ମଧ୍ୟରେ କାହିଁକି ହୋଇଥିଲା ପାଟିତୁଣ୍ଡ?
- ଅଞ୍ଜଳିଙ୍କ ମୃତ୍ୟୁରେ ଅଛି କି ଡ୍ରଗ୍ସ ଲିଙ୍କ?
-ସନ୍ଦେହଘେରରେ ଥିବା ନିଧି ଅଭିଯୁକ୍ତଙ୍କୁ ପୂର୍ବରୁ ଜାଣିଥିଲେ କି?
- ଅଞ୍ଜଳିଙ୍କ ହତ୍ୟା ଯୋଜନାବଦ୍ଧ କି?
- କୁଆଡ଼େ ଗଲା ଦିଲ୍ଲୀରେ ସୁରକ୍ଷା?
ନିଧିଙ୍କ ମୃତ୍ୟୁ ପଛର କାରଣ ପ୍ରକୃତରେ ଏକ ଦୁର୍ଘଟଣା ଥିଲା ନା ଏହା ଏକ ଯୋଜନାବଦ୍ଧ ହତ୍ୟା ଥିଲା ତାହାକୁ ନେଇ ଚାଲିଛି ଜୋରଦାର ତଦନ୍ତ ।