ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ ପରାମର୍ଶ ।

239

କନକ ବ୍ୟୁରୋ : ଏଲୋପାଥି ବିରୋଧରେ ବୟାନ ଦେଇ ଅଡୁଆରେ ବାବା ରାମଦେବ । ପ୍ରଥମେ ବିରୋଧ ପ୍ରଦର୍ଶନ, ପରେ ଥାନାରେ ମାମଲା ରୁଜୁ ଆଉ ଏବେ ଦିଲ୍ଲୀ ହାଇକୋର୍ଟ ଯାଇଛି ଏହି ବୟାନ ବିବାଦ । ଦିଲ୍ଲୀ ମେଡିକାଲ ଆସୋସିଏସନ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ବାବା ରାମ ଦେବ ଓ ଡିଏମଏକୁ ପରାମର୍ଶ ଦେଇଛନ୍ତି । ବାବା ରାମଦେବଙ୍କୁ ନୋଟିସ ପଠାଇ ଜବାବ ତଲବ କରିବା ସହ ଏଲୋପାଥି ବିରୋଧରେ କୌଣସି ବିବାଦୀୟ ବୟାନ ନଦେବାକୁ ପରାମର୍ଶ ଦେଇଛନ୍ତିା ସେହିପରି ଡିଏମଏକୁ ତୁଛା ତର୍କରେ ନ ମାତି କରୋନା ମୁକାବିଲା ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି ।

ଯୋଗଗୁରୁ ବାବା ରାମଦେବ ଏଲୋପାଥିକୁ ନେଇ ବୟାନ ବିବାଦ ଦିଲ୍ଲୀ ହାଇକୋର୍ଟରେ ପହଂଚିଛି । ଦିଲ୍ଲୀ ମେଡିକାଲ ଆସୋସିଏସନ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ହାଇକୋର୍ଟ ବାବା ରାମଦେବଙ୍କୁ ସମନ ପଠାଇଛନ୍ତି । ପରବର୍ତି ଶୁଣାଣି ଯାଏଁ ଏଲୋପାଥିକୁ ନେଇ କୌଣସି ବିବାଦୀୟ ବୟାନ ନଦେବାକୁ ପରାମର୍ଶ ଦେଇଛନ୍ତି ଖଣ୍ଡପୀଠ । ପତଞ୍ଜଳି ପୀଠ ପକ୍ଷରୁ ପ୍ରସ୍ତୁତ କରୋନିଲ କି୍ଟ କରୋନା ଆକ୍ରାନ୍ତଙ୍କୁ ଆରୋଗ୍ୟ କରୁଥିବା ଭଳି ଭ୍ରାମକ ପ୍ରଚାର ଉପରେ ରୋକ ଲଗାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମେଡିକାଲ ଆସୋସସିଏସନ । ଏହାଛଡା ସାର୍ବଜନୀନ ଭାବେ ରାମଦେବ ଦେଉଥିବା ବୟାନ ଡାକ୍ତର ଓ ବିଜ୍ଞାନର ମର୍ଯ୍ୟାଦା ହାନି କରିଥିବା ଆବେଦନରେ ଦର୍ଶାଇଛନ୍ତି ଡିଏମଏ । ଏନେଇ ଯୋଗଗୁରୁଙ୍କ ସମେତ କିଛି ସୋସିଆଲ ମିଡିଆକୁ ଜବାବ ତଲବ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଏଲୋପାଥି ଚିକିତ୍ସାକୁ ଅସମ୍ମାନ ଓ ଭୁଲ ଭାବେ ରାମଦେବ ବାଖ୍ୟା କରିଥିବା ଅଭିଯୋଗ ଆଣି ଇଣ୍ଡିଆନ ମେଡିକାଲ ଆସୋସିଏସନର ଥାନାରେ ଏତଲା ଦେବାର ଦିନକ ପରେ ବାବାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଛି ଦିଲ୍ଲୀ ମେଡିକାଲ ଆସୋସିଏସନ ।  ଦିଲ୍ଲୀ ହାଇକୋର୍ଟ ଜୁଲାଇ ୧୩ ତାରିଖରେ ଯୋଗଗୁରୁ ରାମଦେବଙ୍କ ବିରୋଧରେ ହୋଇଥିବା ସୁଟର ପରବର୍ତି ଶୁଣାଣି କରିବେ । ତେବେ କରୋନିଲ କିଟକୁ ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ ଉପରେ କୋର୍ଟ ଟିପ୍ପଣୀ କରି କହିଥିଲେ, ଯଦି କରୋନିଲ କିଟ୍ ମିଛ ପ୍ରଚାର କରୁଛି, ତେବେ ଆୟୁଷ ମନ୍ତ୍ରାଳୟ ଏହାର ସ୍ୱତଃ ସଂଜ୍ଞାନ ନେବା ଉଚିତ । ଏହାଛଡା କୋର୍ଟ କହିିବ ନାହିଁ କରୋନିଲ କରୋନାର ଔଷଧ ନା ନୁହେଁ, ଏହା କେବଳ ବିଶେଷଜ୍ଞ ହିଁ କହିପାରିବେ ।

ଏଲୋପାଥିକୁ ନେଇ ବାବାଙ୍କ ବୟାନରେ ଦେଶର ସମସ୍ତ ଡାକ୍ତର ଆହତ ହୋଇଥିବା ଖଣ୍ଡପୀଠ ଆଗରେ କହିଥିଲେ ଡିଏମଏର ଓକିଲ । ହାଇକୋର୍ଟ ଟିପ୍ପଣୀ କରି କହିଥିଲେ ସବୁ ବ୍ୟକ୍ତିଙ୍କ ବ୍ୟକ୍ତିଗତ ରାୟ ରହିଥାଏ । ଏଲୋପାଥି କଣ ଏତେ ଦୁର୍ବଳ ବିଜ୍ଞାନ କି ଯାହା ଜଣେ ବ୍ୟକ୍ତିର ବୟାନ ପରେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିଲା ବୋଲି ପାଲଟା ପ୍ରଶ୍ନ କରିଥିଲେ ଖଣ୍ଡପୀଠ ।

ଏଲୋପାଥି ଚିକିତ୍ସାକୁ ନେଇ ବାବା ରାମଦେବ କିଛି ଦିନ ତଳେ କେତେକ ବୟାନ ଦେଇଥିଲେ, ଯାହାକୁ ନେଇ ଖପ୍ପା ହୋଇଛନ୍ତି ଡାକ୍ତର । ଏହାର ପ୍ରତିବାଦରେ ଜୁନ ୧ ତାରିଖରେ ଦେଶବ୍ୟାପୀ ରେସିଡେଣ୍ଟ ଡାକ୍ତର କଳା ଦିବସ ବି ପାଳନ କରିଥିଲେ । ଆଇଏମଏ ଅସନ୍ତୋଷ ଜାହିର କରି ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ଦେଇଥିଲେ । ଆଉ ଏବେ ଥାନ ପରେ କୋର୍ଟ ପହଂଚିଛି ଏହି ବୟାନ ବିବାଦ ।