କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କୋର୍ଟ । କହିଲେ, ଆପଣ କଣ ରୋଗୀଙ୍କୁ ଅମ୍ଲଜାନ ପାଇଁ ଅପେକ୍ଷା କରିବାକୁ କହିବେ କି?

Advertisment
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କୋର୍ଟ । କହିଲେ, ଆପଣ କଣ ରୋଗୀଙ୍କୁ ଅମ୍ଲଜାନ ପାଇଁ ଅପେକ୍ଷା କରିବାକୁ କହିବେ କି?

କନକ ବ୍ୟୁରୋ :  କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ପାଇଁ ଅମ୍ଳଜାନର ଅଭାବ ଏବେ ଦେଶରେ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଅମ୍ଳଜାନ ଅଭାବ କାରଣରୁ ବହୁ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାର ବହୁ ଅଭିଯୋଗ ଆସୁଛି। ଏଘଟଣାକୁ ନେଇ ଆଜି ନିଜର ଗଭୀର ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ କରିବା ସହ ଅମ୍ଳଜାନ ଓ ଟିକାର ବଣ୍ଟନକୁ ନେଇ କେନ୍ଦ୍ର ସରକାରଙ୍କର ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ଗତକାଲି ଗୋଟିଏ ଦିନରେ ଦିଲ୍ଲୀରେ ୩୨,୦୦୦ କୋଭିଡ୍‌ ମାମଲା ରେକର୍ଡ ହୋଇଥିବା ବେଳେ ରାଜଧାନୀରେ ବୃଦ୍ଧି ପାଉଥିବା କୋଭିଡ୍‌ ସଙ୍କଟର ମୁକାବିଲା ପାଇଁ ଅମ୍ଳଜାନ, ଔଷଧ, ଟିକା ଓ ମେଡିକାଲ ଶଯ୍ୟାର ଘୋର ଅଭାବ ରହିଛି ବୋଲି ଦିଲ୍ଲୀ ସରକାର କୋର୍ଟଙ୍କୁ ଜଣାଇଥିଲେ। ଏବଂ ଏପ୍ରକାର ଅବସ୍ଥା ପାଇଁ କେନ୍ଦ୍ରର ପାତରଅନ୍ତର ନୀତିକୁ ଦାୟୀ କରିଥିଲେ। କୋଭିଡ୍‌ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଅମ୍ଳଜାନ ଯୋଗାଇବାରେ କେନ୍ଦ୍ରର ବିଫଳତାକୁ ଦାୟୀକରି କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ, ‘ଆପଣ କ’ଣ ରୋଗୀଙ୍କୁ ଅମ୍ଳଜାନ ପାଇଁ ଅପେକ୍ଷା କରିବାକୁ କହିବେ କି’?

ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭିପିନ୍‌ ସାଙ୍ଗି ଓ ଜଷ୍ଟିସ୍‌ ରେଖା ପଲ୍ଲୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କୋଭିଡ ରୋଗୀଙ୍କ ଚିକିତ୍ସା ନିମନ୍ତେ ପର୍ଯ୍ୟାପ୍ତ ଅମ୍ଳଜାନ ସୁନିଶ୍ଚିତ କରିବା ପାଇଁ ପେଟ୍ରୋଲିୟମ ଏବଂ ଇସ୍ପାତ ପରି ଶିଳ୍ପ କ୍ଷେତ୍ରକୁ ବର୍ତ୍ତମାନ ପାଇଁ ଅମ୍ଳଜାନ ଯୋଗାଣ ହ୍ରାସ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ‘ଆର୍ଥିକ ସ୍ୱାର୍ଥ ମାନବ ଜୀବନକୁ ଅତିକ୍ରମ କରିପାରିବ ନାହିଁ କିମ୍ବା ଆମେ ଏକ ବିପର୍ଯ୍ୟୟ ଆଡକୁ ମୁହାଁଇ ପାରିବା ନାହିଁ’।

‘ସରକାରୀ ଭାବେ ଦେଶର ୧୩୦ କୋଟି ମଧ୍ୟରୁ ଦୁଇ କୋଟିରୁ କମ୍‌ କୋଭିଡ୍‌ ମାମଲା ରହିଛି। ଯଦିଓ ଏହା ପାଞ୍ଚ ଗୁଣ! ଆମେ ଅବଶିଷ୍ଟ ଲୋକଙ୍କୁ ସୁରକ୍ଷା ଦେବା ଉଚିତ୍‌। ତେବେ, ଯେଉଁ ହାରରେ ଜୀବନ ହାନି ଘଟିଚାଲିଛି ତାହା ଚିନ୍ତାଜନକ। ତେଣୁ, ଆଉ ଅଧିକ ଲୋକଙ୍କୁ ହରାଇବା ପୂର୍ବରୁ ଆମେ ଶୀଘ୍ର କାର୍ଯ୍ୟ କରିବା ଉଚିତ’ ବୋଲି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ କହିଛନ୍ତି। ଏଥିସହ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ‘ଆମେ ସରକାର ଚଳାଇବାକୁ ଏଠାରେ ନାହୁଁ। କିନ୍ତୁ, ପରିସ୍ଥିତି ପ୍ରତି ଆପଣଙ୍କୁ ସମ୍ବେଦନଶୀଳ ହେବାକୁ ପଡିବ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe