କରୋନାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ ଦ୍ୱିତୀୟ ଲହର ନୁହେଁ ଏହା ସୁନାମୀ ।

ଅକ୍ସିଜେନ ଯୋଗାଣରେ କେହି ବାଧା ପହଂଚାଇଲେ ମିଳିବନି କ୍ଷମା

269

କନକ ବ୍ୟୁରୋ: ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କଲେ ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି, ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କଲେ କ୍ଷମା ଦିଆଯିବ ନାହିଁ । କୌଣସି ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଣରେ ଯଦି କିଏ ବାଧା ସୃଷ୍ଟି କରେ ତେବେ ତାକୁ ଫାଶି ଦଣ୍ଡ ଦିଆଯାଇପାରେ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବେଳକୁ ବେଳ ବିଗିଡି ଯାଉଛି । ଅକ୍ସିଜେନ୍ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି । ସ୍ଥିତିକୁ ଦେଖି ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଏହା କରୋନାର ଦ୍ୱିତୀୟ ଲହର ନୁହେଁ ବରଂ ସୁନାମୀ ବୋଲି କହିଛନ୍ତି ।

ରୋଗୀଙ୍କ ଆବଶ୍ୟକତା ଅନୁସାରେ ଡାକ୍ତରଖାନାରେ ଅକ୍ସିଜେନ୍ ନାହିଁ । ଅକ୍ସିଜେନ ଅଭାବରୁ ରୋଗୀଙ୍କ ଜୀବନ ଚାଲିଯାଉଥିବା ନେଇ ହାଇକୋର୍ଟରେ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନା ପକ୍ଷରୁ ମାମଲା ଦାୟର କରାଯାଇଛି । ସେହି ମାମଲାର ବିଚାର କରି ଏମିତି କିଛି କହିଛନ୍ତି ଦିଲ୍ଲୀ କୋର୍ଟ । ତେବେ ଦିଲ୍ଲୀ ସରକାର, କୋର୍ଟଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । କହିଛନ୍ତି ଦିଲ୍ଲୀକୁ ଦୈନିକ ୪୮୦ ମେଟ୍ରିକ୍ ଟନ୍ର ଅମ୍ଳଜାନର ଆବଶ୍ୟକତା ରହିଛି । ଯଦି ଆବଶ୍ୟକ ପରିମାଣର ଅମ୍ଳଜାନ ନମିଳେ ତେବେ ରାଜଧାନୀର ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଭୁଷୁଡି ଯିବ । ସେପଟେ କୋର୍ଟ କହିଛନ୍ତି କିଭଳି ଅମ୍ଳଜାନ ଯୋଗାଣ କରାଯିବ, ମହାମାରୀର ମୁକାବିଲା କରାଯିବ, ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରନ୍ତୁ । ଟ୍ୟାଙ୍କର କିଣି ଅକ୍ସିଜେନ୍ ବିତରଣ କରିବା ସହ କରୋନା ଲଢେଇ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।