କନକ ବ୍ୟୁରୋ : ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି, ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କଲେ କ୍ଷମା ଦିଆଯିବ ନାହିଁ । କୌଣସି ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଣରେ ଯଦି କିଏ ବାଧା ସୃଷ୍ଟି କରେ ତେବେ ତାକୁ ଫାଶି ଦଣ୍ଡ ଦିଆଯାଇପାରେ । ଅମ୍ଳଜାନର ଘୋର ଅଭାବ ଦେଖା ଦେବା ପରେ ଏହାକୁ ନେଇ ଦିଲ୍ଲୀର ପ୍ରମୁଖ ହସ୍ପିଟାଲ ଗୁଡିକ ଦିଲ୍ଲୀ ହାଇକୋର୍ଟରେ ଆବଦନ କରିଥିଲେ । ଏହାର ଶୁଣାଣୀ ବେଳେ ଅକ୍ସିଜେନ ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କୋର୍ଟ । ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ପର୍ଯ୍ୟାପ୍ତ ପରିମାଣର ଅମ୍ଲଜାନ ଯୋଗାଣ ହେଉନଥିବା କୁହାଯାଇଛି ।
ରାଜଧାନୀର ସ୍ଥିତିକୁ ଦେଖି ଦିଲ୍ଲୀ ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଏହା କରୋନାର ଦ୍ୱିତୀୟ ଲହର ନୁହେଁ ବରଂ ସୁନାମୀ । ତେବେ ଦିଲ୍ଲୀ ସରକାର, କୋର୍ଟଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । କହିଛନ୍ତି ଦିଲ୍ଲୀକୁ ଦୈନିକ ୪୮୦ ମେଟ୍ରିକ୍ ଟନ୍ର ଅମ୍ଳଜାନର ଆବଶ୍ୟକତା ରହିଛି । ଯଦି ଆବଶ୍ୟକ ପରିମାଣର ଅମ୍ଳଜାନ ନମିଳେ ତେବେ ରାଜଧାନୀର ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଭୁଷୁଡି ଯିବ । ସେପଟେ କୋର୍ଟ କହିଛନ୍ତି କିଭଳି ଅମ୍ଳଜାନ ଯୋଗାଣ କରାଯିବ, ମହାମାରୀର ମୁକାବିଲା କରାଯିବ, ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରନ୍ତୁ । ଟ୍ୟାଙ୍କର କିଣି ଅକ୍ସିଜେନ୍ ବିତରଣ କରିବା ସହ କରୋନା ଲଢେଇ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
ସେପଟେ ବତ୍ରା ହସ୍ପିଟାଲର ପକ୍ଷରୁ କୁହାଯାଇଛି ଯେ, ଦୈନିକ ୮ହଜାର ଲିଟର ଅକ୍ସିଜେନର ଆବଶ୍ୟକତା ରହିଥିବା ବେଳେ ୬ହଜାର ଲିଟରରେ କାମ ଚଳାଯାଇ ପାରିବ କିନ୍ତୁ ହସ୍ପିଟାଲକୁ ୫ଶହ ଲିଟର ଅମ୍ଲଜାନ ଯୋଗାଣ ହୋଇଛି । ଦିଲ୍ଲୀରେ ଅକ୍ସିଜେନ ଅଭାବ ଯୋଗୁଁ ପ୍ରକୃତ ସ୍ଥିତି କଣ ରହିଛି ତାହା ବର୍ଣ୍ଣନା କରିବା ବେଳେ ଭାବବିହ୍ୱଳ ହୋଇପଡିଛନ୍ତି ବତ୍ରା ହସ୍ପିଟାଲର ଡାକ୍ତର ।
ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବେଳକୁ ବେଳ ବିଗିଡି ଯାଉଛି । ଅକ୍ସିଜେନ୍ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି ।