ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ତତଲା ହେଲା ତୀସ୍ ହଜାରୀ ମାମଲା, ଖାକି ବନାମ କଳାକୋଟ୍ ବିବାଦରେ ଆଇନଜୀବୀଙ୍କୁ ଆଶ୍ୱସ୍ତି ।

252

କନକ ବ୍ୟୁରୋ: ଥମିବାର ନାଁ ନେଉନି ଦିଲ୍ଲୀ ତୀସ ହଜାରୀ ଖାକି ବନାମ କଳାକୋଟ୍ ବିବାଦ ଘଟଣା । ପୁଣି ନୂଆ ମୋଡ଼ ନେଲା ପୁଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ତିକ୍ତତା । ସମସ୍ୟାର ସମାଧାନ କରିବା ନେଇ ଦିଲ୍ଲୀ ହାଇକୋର୍ଟ ଆଇନଜୀବୀଙ୍କ ସପକ୍ଷରେ ଯାଇଛନ୍ତି । ଆଉ ରାୟ ଶୁଣାଇ କହିଛନ୍ତି କି, ଓକିଲଙ୍କ ବିରୋଧରେ କୌଣସି ମାମଲା ହୋଇପାରିବନି । ତେଣୁ ଗୃହମନ୍ତ୍ରଣାଳୟ ପରେ ଆଜି ଏହି ମାମଲାରେ ପୋଲିସଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ଚାରି ଦିନ ପରେ ବି ତୀସ ହଜାରୀ ବିବାଦରେ ପଡ଼ିପାରୁନି ପୂର୍ଣ୍ଣଛେଦ । ସମାଧାନ ପରିବେର୍ତ୍ତ ଅଧିକ ସମସ୍ୟା ବଢ଼ାଉଛି ଏହି ବିବାଦ । ତୀସ ହଜାରୀରେ ଖାକି ବନାମ କଳାକୋଟ୍ ମଧ୍ୟରେ ହୋଇଥିବା ତତଲା ପବନ ଦିଲ୍ଲୀରୁ ପଲ୍ଲୀ ପୂରା ଖେଳିବାରେ ଲାଗିଛି । ଏପରିକି ଓକିଲଙ୍କ ସହ ବିବାଦ ପରେ ନ୍ୟାୟ ଦାବିରେ ଧାରଣାରେ ବସିଥିବା ପୁଲିସ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟସ୍ଥଳକୁ ଫେରିଛନ୍ତି । ଆଉ କହିଛନ୍ତି ଜନତାଙ୍କ ଭରସା, ବିଶ୍ୱାସ ଓ ଆଶ୍ୱାସନା ଆମ ସହ ସବୁବେଳେ ରହିଛି ।

ଅନ୍ୟପଟେ ପୁଲିସ ସହ ବିବାଦ ପରେ ଆଇନଜୀବୀମାନେ କିନ୍ତୁ ଆନ୍ଦୋଳନରୁ ଓହରି ନାହାନ୍ତି । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ଆଇନଜୀବୀ । କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟକୁ ଏହି ଘଟଣାର ଶୁଣାଣି କରିବାକୁ ଆଦେଶ ଦେଇଥିଲେ ମଧ୍ୟ ଆଜିର ରାୟ ଆଇନଜୀବୀଙ୍କ ସପକ୍ଷରେ ଯାଇଛି । ଆଉ ଏହାପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ପୋଲିସମାନେ କହିଛନ୍ତି କି, ଆଇନଜୀବୀଙ୍କୁ ବାନ୍ଧିବା ପାଇଁ ସତେ ଯେମିତି ଆଇନ ନାହିଁ ।

ସୂଚନାଯୋଗ୍ୟ, ଉତ୍ତର ଦିଲ୍ଲୀର ତିସ୍ ହଜାରୀ ଅଦାଲତ ପରିସରରେ ଗାଡି ପାର୍କିଂକୁ କେନ୍ଦ୍ରକରି ଶୁକ୍ରବାର ଅପରାହ୍ନରେ ପୁଲସ ଓ ଓକିଲ ମୁହାଁମୁହିଁ ହେବା ସହ ଗୁଳି ଚାଳନାରେ ଏକ ପୁଲିସ ଗାଡିରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ୨୦ଜଣ ପୁଲିସ କର୍ମୀ ଓ କିଛି ଓକିଲ ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ସାମ୍ବାଦିକଙ୍କୁ ମଧ୍ୟ ମାଡ ମରାଯାଇଥିଲା । ଏହାରି ଭିତରେ କଡକଡଦୁର୍ଗା କୋର୍ଟରେ ପୁଲିସ ଓ ଓକିଲଙ୍କ ମଧ୍ୟରେ ଆଉ ଏକ ଉଦ୍ବେଗଜନକ ପରିସ୍ଥିତି ଉପୁଜିଥିଲା । ଶନିବାର ଦିନ ତିସ୍ ହଜାରୀ କୋର୍ଟରେ ଜଣେ ଅଭିଯୁକ୍ତଙ୍କ ସହ ଜଣେ ଓକିଲ କୋର୍ଟ ଭିତରକୁ ଯିବାକୁ ନେଇ ତୁମୁଳକାଣ୍ଡ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ପୁଲିସ ଗାଡକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ । ଏଥି ସହିତ ଜଣେ ପୁଲିସ କର୍ମଚାରୀଙ୍କୁ ଓକିଲମାନେ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।