ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ପ୍ରସଙ୍ଗରେ ମୁଣ୍ଡ ପୁରାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ବିଚାରପତି କହିଲେ ଗଣତନ୍ତ୍ରକୁ ତା ରାସ୍ତାରେ ଯିବାକୁ ଦିଅ

362

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ପଦରେ ରହିପାରିବେ । ଏହି ପ୍ରସଙ୍ଗରେ କୋର୍ଟ ହସ୍ତକ୍ଷେପ କରିବାକୁ ପୁଣି ଥରେ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ହିନ୍ଦୁ ସେନା ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଏଥିରେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଉପରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ଏହି ପ୍ରସଙ୍ଗରେ ଶୁଣାଣି କରୁଥିବା ବେଂଚ କହିଛି ଯେ, “ଉପରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବାର ଅଧିକାର ସେମାନଙ୍କର ନାହିଁ, ବରଂ ଉପରାଜ୍ୟପାଳ ଯାହା ଆଇନ ଅନୁସାରେ ନିଷ୍ପତି ନେବେ, ଗଣତନ୍ତ୍ରକୁ ନିଜ ରାସ୍ତାରେ ଚାଲିବାକୁ ଦିଆଯାଉ’ । ପୂର୍ବରୁ ମଧ୍ୟ ଆଗରୁ ଏହିଭଳି ଦୁଇଟି ଆବେଦନ ହୋଇଥିବା ବେଳେ ଉଭୟକୁ ଖାରଜ କରିଦେଇଥିଲେ କୋର୍ଟ ।

ଜେଲରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାର୍ତା ପଠାଇଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ, ଦଳୀୟ ନେତା ଓ ବିଧାୟକଙ୍କୁ ସେ ଏହି ବାର୍ତାରେ ସମ୍ବୋଧନ କରିଛନ୍ତି । ନିଜ ନିଜ ନିର୍ବାଚନମଣ୍ଡଳୀକୁ ଯାଇ କାମ ଜାରି ରଖିବାକୁ ସେ ଏଥିରେ ପରାମର୍ଶ ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଏହି ବାର୍ତାକୁ ପଢ଼ି ଶୁଣାଇଛନ୍ତି ପତ୍ନୀ ସୁନୀତା କେଜ୍ରିୱାଲ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ହେଲେ ଏହା ପୂର୍ବରୁ କେଜରିୱାଲଙ୍କୁ ୯ ଥର ସମନ ପଠାଇଥିଲା ଇଡି । ହାଜର ହୋଇ ନିଜ ପକ୍ଷ ରଖିବାକୁ ଏଥିରେ କୁହାଯାଇଥିଲା । ହେଲେ କେଜ୍ରିୱାଲ ଇଡି ପାଖରେ କେବେ ହେଲେ ହାଜର ହୋଇନଥିଲେ । ଏପ୍ରିଲ ୧ରେ କେଜ୍ରିୱାଲଙ୍କୁ ୧୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ କୋର୍ଟ ।