କନକ ବ୍ୟୁରୋ : ଦିଲ୍ଲୀର ସଂକ୍ରମଣ ବଢିବାରେ ଲାଗିଛି । ସ୍ଥିତି ଏମିତି ଯେ କରୋନାର କ୍ୟାପିଟାଲ ଦିଲ୍ଲୀ କହିଲେ କିଛି ଭୁଲ୍ ହେବନି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ଗତ ବର୍ଷ ମେ ମାସ ଅପେକ୍ଷା ସର୍ବାଧିକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆକଳନ କରିଛି, ଜାନୁଆରୀ ୧୫ ସୁଦ୍ଧା ଦୈନିକ ମାମଲା ୨୦ରୁ ୨୫ ହଜାର ଚିହ୍ନଟ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି କେଜ୍ରିୱାଲ ସରକାର ।
ଦେଶର କରୋନା କ୍ୟାପିଟାଲ ପାଲଟିଛି ଦିଲ୍ଲୀ । ଗତ ୨୪ ଘଣ୍ଟାରେ ପ୍ରାୟ ସାଢେ ୫ ହଜାର ଆକ୍ରାନ୍ତ ଚିହ୍ନଟ ପରେ କଟକଣାକୁ କଡାକଡି କରାଯାଇଛି । ଦିଲ୍ଲୀରେ ପୂର୍ବରୁ ରାତ୍ରୀକାଳୀନ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ଲାଗୁ କରିଛନ୍ତି କେଜ୍ରିୱାଲ ସରକାର । ନୂଆ ବର୍ଷ ଆରମ୍ଭରୁ ଦିଲ୍ଲୀରେ କରୋନା ସଂକ୍ରମଣ ସ୍ଥିତି ବିଗିଡାରେ ଲାଗିଛି । ଓମିକ୍ରନ ଆକ୍ରାନ୍ତ ଦିଲ୍ଲୀରେ ଚିହ୍ନଟ ପରେ ହୁ ହୁ ହୋଇ ପଜିଟିଭ ମାମଲା ବଢିବାରେ ଲାଗିଛି ।
ଜାନୁୟାରୀ ୧ ତାରିଖରେ ୨୭୯୬ ଆକ୍ରାନ୍ତ
ଜାନୁୟାରୀ ୨ ତାରିଖରେ ୩୧୯୪ ସଂକ୍ରମିତ ଚିହ୍ନଟ
ଜାନୁୟାରୀ ୩ ତାରିଖରେ ୪୦୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ
ଜାନୁୟାରୀ ୪ ତାରିଖରେ ଚିହ୍ନଟ ହୋଇଛି ୫ ହଜାର ୪୮୧ ନୂଆ ମାମଲା
ଦିଲ୍ଲୀରେ କରୋନା ସଂକ୍ରମଣ ଆଗକୁ ଆହୁରି ବଢିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ରିପୋର୍ଟ ପ୍ରକାଶ କରିଛି ଏନଡିଟିଭି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଜାନୁୟାରୀ ୮ ତାରିଖ ବେଳକୁ ଦେଶର ରାଜଧାନୀରେ ଦୈନିକ ୮ରୁ ୯ ହଜାର ନୂଆ ଆକ୍ରାନ୍ତ ଆସିପାରେ । ଜାନୁୟାରୀ ୧୫ ସୁଦ୍ଧା ଦୈନିକ ମାମଲା ୨୦ରୁ ୨୫ ହଜାର ଚିହ୍ନଟ ହୋଇପାରେ ବୋଲି ଏନଡିଟିଭି ରିପୋର୍ଟ କରିଛି ।
ଦିଲ୍ଲୀରେ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ସୁବିଧା ଓ ବେଡ ସଂଖ୍ୟା ବୃଦ୍ଧି କରାଯାଇଛି । ଏଥିସହ ଜାନୁଆରୀରେ ଛୁଟି ନେଇଥିବା ଏମ୍ସ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ସ୍ଥିତି ଏମିତି ହୋଇଛି ଯେ ଶହେ ନମୂନା ପରୀକ୍ଷା କଲେ ୯ଜଣଙ୍କ ରିପୋର୍ଟ ପଜିଟିଭ ଆସୁଛି । ଏବେ ରାଜ୍ୟରେ ସଂକ୍ରମଣ ହାର ୮.୩୭ ପ୍ରତିଶତକୁ ଛୁଇଁଛି । ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମଣ ସ୍ଥିତିକୁ ଆଖିରେ ରଖି ଦିଲ୍ଲୀ ସରକାର
ସପ୍ତାହାନ୍ତ ଅର୍ଥାତ୍ ଶନିବାର ରବିବାର ସଟଡାଉନ୍ ଜାରି କରିଛନ୍ତି
ଜରୁରୀ ସେବାକୁ ଛାଡି ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ
ସରକାରୀ କର୍ମଚାରୀ ଘରେ ରହି ଅନଲାଇନରେ ଅଫିସ କାମ କରିବେ
ମେଟ୍ରୋ, ବସ ସେବା ପୂର୍ଣ୍ଣ କ୍ଷମତାରେ ଚାଲିବ
ଯାତ୍ରା ସମୟରେ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଜଙ୍ଗଲର ନିଆଁ ଭଳି ବ୍ୟାପୁଛି ଓମିକ୍ରନ ଭୂତାଣୁ । ସପ୍ତାହେ ଭିତରେ ସୁସ୍ଥ ହେଉଛନ୍ତି ଓମିକ୍ରନ ଆକ୍ରାନ୍ତ । କରୋନାର ନୂଆ ପ୍ରଜାତି ଓମିକ୍ରନ ଦ୍ରୁତ ସଂକ୍ରାମକ ହେଲେ ମଧ୍ୟ, ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେଉନାହିଁ । ଦିଲ୍ଲୀ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ହୋଇଥିବା ଅନୁଧ୍ୟାନରୁ ଜଣା ପଡିଛି,
ଏକ ସପ୍ତାହ ମଧ୍ୟରେ ପ୍ରାୟ ୯୯ % ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି
ସପ୍ତାହେ ମଧ୍ୟରେ ୯୨ % ଆକ୍ରାନ୍ତଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି
ସେହିପରି ୫% ଆକ୍ରାନ୍ତଙ୍କ ରିପୋର୍ଟ ୮ ଦିନରେ ନେଗେଟିଭ
୩ ପ୍ରତିଶତ ସଂକ୍ରମିତଙ୍କ ରିପୋର୍ଟ ୯ ଦିନରେ ନେଗେଟିଭ ଆସିଛି
ତେବେ ଏକାଧିକ ରୋଗରେ ପୀଡିତ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହେଲେ ଡେରିରେ ସୁସ୍ଥ ହେଉଥିବା କହିଛନ୍ତି ଏନଏଲଜେପିର ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର । ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୩୭ ହଜାର ୩୭୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୨୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଦୈନିକ ସଂକ୍ରମଣ ହାର ଏବେ ୩ ଦଶମିକ ୨୪ ପ୍ରତିଶତକୁ ବୃଦ୍ଧି ପାଇଛି ।