ମଙ୍ଗୁ ମଠ ଓ ଗୁରୁ ନାନକଙ୍କୁ ନେଇ ନୂଆ ଚର୍ଚ୍ଚା । ଦିଲ୍ଲୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟି କହିଲା ଗୁରୁ ନାନକଙ୍କ ସହ ନାହିଁ ମଙ୍ଗୁମଠର ସଂପର୍କ ।

445

କନକ ବ୍ୟୁରୋ : ମଙ୍ଗୁ ମଠକୁ ନେଇ ଶିରୋମଣି ଗୁୁରୁଦ୍ୱାର ପ୍ରବନ୍ଧକ କମିଟିର ଗଣମାଧ୍ୟମରେ ବୟାନକୁ ନେଇ ଝଡ । ପୁରୀର ମଙ୍ଗୁ ମଠ ପରିଦର୍ଶନ କରି ପଞ୍ଜାବ ଫେରିବା ପରେ ଏହି କମିଟି ସେଠାକାର ସ୍ଥାନୀୟ ଗଣମାଧ୍ୟମକୁ କହିଛି ଶିଖ ଧର୍ମଗୁରୁ ନାନକଙ୍କ ସହିତ, ମଙ୍ଗୁ ମଠର କୌଣସି ସମ୍ପର୍କ ନାହିଁ । ଏପରିକି ପୁରୀ ସହିତ ମଧ୍ୟ ତାଙ୍କର କୌଣସି ସମ୍ପର୍କ ନାହିଁ । ଏହି ମନ୍ତବ୍ୟ ପଞ୍ଜାବରେ ଝଡ ସୃଷ୍ଟି କରିଛି । ଅନ୍ୟପକ୍ଷରେ ପୁରୀ ମଙ୍ଗୁ ମଠ ବୁଲିଆସିଥିବା ପଞ୍ଜାବର ମାନବାଧିକାର ଏବଂ ସାମାଜିକ କର୍ମୀଙ୍କ ଯୁକ୍ତି ହେଲା ନାନକ ପୁରୀ ଏବଂ ମଙ୍ଗୁ ମଠ ଆସିଥିବା ନେଇ ଯଥେଷ୍ଟ ପ୍ରମାଣ ରହିଛି ।

ମଙ୍ଗୁ ମଠ । ଯାହା ପୁରୀର ଏକ ପୁରୁଣା ମଠ । ନାନକଙ୍କ ସହିତ ସମ୍ପର୍କିତ ଏହି ମଠକୁ ନ ଭାଙ୍ଗିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଟୁଇଟ କରିଥିଲେ ଏବଂ ପଞ୍ଜାବରୁ ଆସିଥିଲା ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଏକ ଟିମ । ଏହି ଟିମ ମଙ୍ଗୁ ମଠ ବୁଲିଯିବା ପରେ ପଞ୍ଜାବରେ ସ୍ଥାନୀୟ ଗଣମାଧ୍ୟମକୁ କହିଥିଲେ,

ଶିଖଧର୍ମର ପ୍ରଥମ ଧର୍ମଗୁରୁ ନାନକ ଏବଂ ମଙ୍ଗୁ ମଠ ତଥା ପୁରୀ ମଧ୍ୟରେ କୌଣସି ସମ୍ପର୍କ ହିଁ ନାହିଁ । ମଙ୍ଗୁ ମଠରେ ନାନକ ରହିଥିଲେ କି ନାହିଁ, ପୁରୀ ବୁଲିଆସିଥିଲେ କି ନାହିଁ ସେନେଇ କୌଣସି ସଠିକ ତଥ୍ୟ ନାହିଁ । ଏହି ବୟାନକୁ ନେଇ ଝଡ ସୃଷ୍ଟି ହୋଇଛି ଏବଂ ନୂଆ ମୋଡ ନେଇଛି ମଙ୍ଗୁ ମଠ ବିବାଦ ।

ମଙ୍ଗୁ ମଠକୁ ନ ଭାଙ୍ଗିବା ଯୁକ୍ତି ପଛରେ ସବୁଠୁ ବଡ ଯୁକ୍ତି ଥିଲା ଯେ ଗୁରୁ ନାନକଙ୍କ ସହିତ ଏହି ମଠର ସମ୍ପର୍କ ରହିଛି । କିନ୍ତୁ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ବୟାନ ପରେ ଏହାକୁ ନେଇ ପଞ୍ଜାବରେ ଝଡ ସୃଷ୍ଟି ହୋଇଛି ।ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଆସି ମଙ୍ଗୁ ମଠ ବୁଲିଯିବା ପରେ ଏବେ ପଞ୍ଜାବରୁ ଆସିଥିବା ମାନବାଧିକାର ଏବଂ ସାମାଜିକ କର୍ମୀ ମଧ୍ୟ ମଙ୍ଗୁ ମଠ ବୁଲି ଦେଖିଛନ୍ତି । ସେମାନଙ୍କ ଯୁକ୍ତି ହେଲା,

• ନାନକ ପୁରୀ ଆସିଥିଲେ ଏବଂ ମଙ୍ଗୁ ମଠ ସହିତ ତାଙ୍କର ସମ୍ପର୍କ ରହିଛି ।

• ପଞ୍ଜାବର ଲୋକେ କେବଳ ବାଉଲି କୂଅ ତିଆରି କରନ୍ତି ଏବଂ ପୁରୀରେ ଏକ ବାଉଲି କୂଅ ଥିବାରୁ ଏହା ପ୍ରମାଣ କରୁଛି ଗୁରୁ ନାନକ ହିଁ ପୁରୀ ଆସିଥିଲେ ।

• ଭଦ୍ରକ ଏବଂ କଟକରେ ଗୁରୁଦ୍ୱାରା ବେଲ୍ଟ ରହିଥିବାରୁ ନାନକ କୋଲକାତାରୁ କଟକ ଏବଂ ପରେ ଭଦ୍ରକ ଆସିଥିଲେ ବୋଲି ପ୍ରମାଣ ମିଳୁଛି ।

• ଶ୍ରୀମନ୍ଦିର ଆଗରେ ଅରୁଣ ସ୍ତମ୍ଭ ରହିଛି ଏବଂ ଅରୁଣ ସ୍ତମ୍ଭ ଆଗରେ ରହିଛି ମଙ୍ଗୁ ମଠ । ନାନକ ଏହିଠାରେ ଥିବା ସମୟରେ ଜଗନ୍ନାଥଙ୍କ ସେବାୟତଙ୍କ ସହିତ ମହାପ୍ରଭୁଙ୍କ ଆରତୀକୁ ନେଇ ବାର୍ତାଳାପ ହୋଇଥିଲା ବୋଲି ଐତିହାସିକ ମାନେ ମତ ଦେଇଛନ୍ତି ।

ତେଣୁ ଆଜି ଏହି କର୍ମୀମାନେ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲଙ୍କୁ ଭେଟି ମଙ୍ଗୁ ମଠକୁ ନ ଭାଙ୍ଗିବାକୁ ନିବେଦନ କରିଛନ୍ତି ।ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ନାନକ ଆସିନଥିବା ନେଇ କହୁଥିବା ବେଳେ ଏହି ସାମାଜିକ ଓ ମାନବାଧିକାର କର୍ମୀଙ୍କ କହିବା ହେଲା, ଶିରୋମଣି ଗୁରୁଦ୍ୱାରା କମିଟି ଠିକ ଭାବେ ତଥ୍ୟ ସଂଗ୍ର୍ହ କରିନାହିଁ ।ଯାହାକି ଘଟଣାକୁ ଆହୁରି ବିବାଦୀୟ କରିଛି ।