ଦିଲ୍ଲୀ ସରକାରଙ୍କ ବଡ ଘୋଷଣା, ଫସଲ ନଷ୍ଟ ହୋଇଥିଲେ ମିଳିବ ୫୦ ହଜାର ଟଙ୍କା

60

କନକ ବ୍ୟୁରୋ : ସେ ଶିକ୍ଷା କ୍ଷେତ୍ର ହେଉ କି ସାଧାରଣ ଲୋକଙ୍କ ଦୈନଦିନ ଜୀବନରେ ଦେଖା ଦେଉଥିବା ସମସ୍ୟା । ସବୁ କ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ଦିଲ୍ଲୀ ସରକାର ଏବେ ଦେଶପାଇଁ ଏକ ନମୂନା ପାଲଟି ଯାଇଛନ୍ତି । ଗୋଟିଏ ପଟେ ଦିଲ୍ଲୀର ଶିକ୍ଷା ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି ତ ଅନ୍ୟପଟେ ଦିଲ୍ଲୀବାସୀଙ୍କୁ ମାଗଣାରେ ଜଳ ଓ ବିଜୁଳି ଯୋଗାଇ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଚାଷୀଙ୍କ ସମସ୍ୟା ଓ ସେମାନଙ୍କୁ ସହାୟତା ଦେବାକୁ ଏବେ ଆଗକୁ ଆସିଛନ୍ତି ଦିଲ୍ଲୀ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି କି ଯେଉଁ ଚାଷୀଭାଇ ମାନଙ୍କର ଫସଲ ବର୍ଷା ଫଳରେ ନଷ୍ଟ ହୋଇଯାଇଛି ସେମାନଙ୍କୁ ହେକ୍ଟର ପ୍ରତି ୫୦ ହଜାର ଟଙ୍କାର ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି କିଛିଦିନ ପୂର୍ବରୁ ଦିଲ୍ଲୀର କିଛି କୃଷକ ତାଙ୍କୁ ଭେଟିଥିଲେ । ସେତେବେଳେ ସେମାନେ କହିଥିଲେ କି ବର୍ଷା କାରଣରୁ ସେମାନଙ୍କ ଫସଲ ନଷ୍ଟ ହୋଇଯାଇଛି । ଏହାକୁ ବିଚାର କରି କେଜ୍ରିୱାଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପ୍ରତି ୫୦ ହଜାର ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ।

ଏନେଇ ପ୍ରଥମେ ସର୍ଭେ କରାଯିବ ଓ ପ୍ରକୃତରେ ଯେଉଁ ଚାଷୀମାନଙ୍କର ଫସଲ ନଷ୍ଟ ହୋଇଛି ସେମାନଙ୍କୁ ଯଥାଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । କେଜ୍ରିୱାଲ କହିଛନ୍ତି କି ୬୫ ଦିନ ମଧ୍ୟରେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ ।