ଦିଲ୍ଲୀରେ କମୁଛି ସଂକ୍ରମଣ ହାର । ମେଡିକାଲରେ ଖାଲି ପଡିଛି ୧୦ ହଜାର ବେଡ । କରୋନାରେ ଅନାଥ ହୋଇଥିବା ପିଲାଙ୍କ ଲାଳନ ପାଳନ କରିବେ ଦିଲ୍ଲୀ ସରକାର

214

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ କରୋନା ସଂକ୍ରମଣକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା କରିଛନ୍ତି । ଏହି ଚର୍ଚ୍ଚାବେଳେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ବି କରିଛନ୍ତି ।

ସେ କହିଛନ୍ତି କି ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିଛି । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୮୫୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୫ ଦିନ ମଧ୍ୟରେ ସଂକ୍ରମଣ ହାର ୩୫ ପ୍ରତିଶତରୁ ଖସି ୧୨ ପ୍ରତିଶତରେ ପହଂଚିଥିବା କଥା ସେ କହିଛନ୍ତି । ଏହାସହ ଦିଲ୍ଲୀରେ ୧୦ ଦିନ ମଧ୍ୟରେ ୧୦ ହଜାର କୋଭିଡ ବେଡ ଖାଲି ହୋଇଥିବା କଥା ସେ ସୂଚନା ଦେଇଛନ୍ତି । ହେଲେ ଆଇସିୟୁ ବେଡ ଏବେ ବି ପୁରା ରହିଛି ବୋଲି ସେ କହିବା ସହ ଦିଲ୍ଲୀରେ କରୋନା ସଂକ୍ରମଣ କମିବାର ମୁଖ୍ୟ କାରଣ ଲକଡାଉନ ବୋଲି ସେ କହିଛନ୍ତି । କରୋନା କଟକଣା ମାନିଥିବାରୁ ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହାସହ ସେ ଦିଲ୍ଲୀବାସୀଙ୍କୁ କରୋନା କଟକଣା ପାଳନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି ଯଦି ଆମେ କଟକଣା ମାନିବାରେ ଅବହେଳା କରୁ ତେବେ ପୁଣିଥରେ ଦିଲ୍ଲୀରେ କରୋନା କାୟା ବିସ୍ତାର କରିବ ।

କେଜ୍ରିୱାଲ ଆହୁରି କହିଛନ୍ତି କି କରୋନା ସଂକ୍ରମଣ କମିଛି ସତ ହେଲେ କରୋନା ବିରୋଧରେ ଲଢେଇ ଏବେ ବି ଜାରି ରହିଛି । ଏହାସହ ଯେଉଁ ପିଲାମାନଙ୍କର ବାପା ମା କିମ୍ବା ଲାଳନ ପାଳନ କରୁଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ଲାଳନ ପାଳନ ଦାୟିତ୍ୱ ଦିଲ୍ଲୀ ସରକାର ନେବେ ବୋଲି ସେ ଘୋଷଣା କରିଛନ୍ତି ।