ରାଜଧାନୀ ଦିଲ୍ଲୀରେ ଟିକାକରଣ ବଢାଇବା ପାଇଁ କେଜ୍ରିୱାଲ ସରକାରର ଯୋଜନା । ଟିକା ଯୋଗାଇବା ପାଇଁ ଡାକିଲେ ଟେଣ୍ଡର ।

182

କନକ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମୁଥିବା ବେଳେ ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  । ଏନେଇ ଟିକାର ଉପଲବ୍ଧତା ବଢ଼ାଇବାକୁ ଚେଷ୍ଟା କରାଯାଉଛି  । ଏସବୁ ଭିତରେ ଏକ କୋଟି ଟିକା ପାଇଁ ଏକ ବିଶ୍ୱସ୍ତରୀୟ ଟେଣ୍ଡର ଡାକିଛନ୍ତି ।  ଏଥିରେ ବିଦେଶର ଟିକା କମ୍ପାନୀମାନେ ଭାଗ ନେଇପାରିବେ  । ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ କିଛି ସର୍ତ ମଧ୍ୟ ରହିଛି  ।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୭ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଆଗ୍ରହୀ କମ୍ପାନୀମାନେ ଇମେଲ ଯୋଗେ ଜଣାଇପାରିବେ  । ଶୀଘ୍ର ଟିକା ଯୋଗାଇବାକୁ କମ୍ପାନୀମାନେ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି  । ଏହାସହ ସମ୍ପୃକ୍ତ ଟିକାକୁ ଭାରତ ସରକାର ଅନୁମତି ଦେଇଥିବା ଆବଶ୍ୟକ  । ଦିଲ୍ଲୀରେ ସଂକ୍ରମଣ କମୁଥିବା ବେଳେ ସୋମବାର ଠାରୁ କେଜ୍ରିୱାଲ ସରକାର କୋଭିଡ କଟକଣା କୋହଳ କରିବା ନେଇ ଯୋଜନା କରିଛନ୍ତି  । ପ୍ରାୟ ୬ ସପ୍ତାହର ତାଲାବନ୍ଦ ପରେ ଏହି କଟକଣା କୋହଳ ହେବାକୁ ଯାଉଛି  ।

ପୂର୍ବରୁ ମଧ୍ୟ ବିଦେଶରୁ କରୋନା ଟିକା ଆଣିବାକୁ ଯୋଜନା କରିଥିଲା ଦିଲ୍ଲୀ ସରକାର  । ହେଲେ ଏହା ସଫଳ ହୋଇ ପାରି ନଥିଲା  । ଫାଇଜର ଓ ମଡର୍ଣ୍ଣା ସିଧାସଳଖ ଦିଲ୍ଲୀ ସରକାରଙ୍କୁ ଟିକା ଦେବାକୁ ମନା କରିଦେଇଥିଲା  । ଟିକା ନେଇ କେବଳ ଭାରତ ସରକାରଙ୍କ ଆଲୋଚନା କରାଯିବ ବୋଲି ଏହି କମ୍ପାନୀ ସେତେବେଳେ କହିଥିଲେ  । ଦେଶରେ ଟିକା ଅଭାବ ଏକ ସମସ୍ୟା ପାଲଟିଥିଲା ବେଳେ ଟିକାକୁ ନେଇ କେନ୍ଦ୍ର ସରକାର ଓ  ଦିଲ୍ଲୀ ସରକାର ମୁହାଁମୁହିଁ ହୋଇଛନ୍ତି  ।

ଟିକା ଉତ୍ପାଦନ ଓ ବଂଟନ ବଢ଼ାଇବାକୁ କେନ୍ଦ୍ର ସରକାର କିଛି ନୂଆ ଉପାୟ କରିବା କଥା ବାରମ୍ବାର କହିଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  । ସେପଟେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଜୁନରେ ଦିଲ୍ଲୀକୁ କେନ୍ଦ୍ର ସରକାରଙ୍କ ଠାରୁ ସାଢ଼େ ୫ ଲକ୍ଷ ଟିକା ମିଳିବ  । ଦିଲ୍ଲୀରେ ଗତ ୨୪ ଘଂଟାରେ ୯ ଶହ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ମାର୍ଚ ୨୩ ଠାରୁ ଦିଲ୍ଲୀରେ ସବୁଠୁ କମ୍ ସଂକ୍ରମଣ  । ସେପଟେ ଦିଲ୍ଲୀରେ ଏଯାଏଁ ମୋଟ୍ ୫୨ ଲକ୍ଷ ୬୪ ହଜାର ଟିକାକରଣ ହୋଇଛି  ।