ଦିଲ୍ଲୀ : ସୋମବାର ଠାରୁ ରାଜଧାନୀରେ ପୂର୍ବଭଳି ଖୋଲିବ ଦୋକାନ ବଜାର, ହଟିଲା ସମସ୍ତ କଟକଣା

97

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ପୂର୍ବଭଳି ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ସୋମବାର ଠାରୁ ଦିଲ୍ଲୀର ସମସ୍ତ ଦୋକାନ ବଜାର ପୂର୍ବଭଳି ଖୋଲାଯାଇ ପାରିବ ।

କରୋନା ସଂକ୍ରମଣ ବଢୁଥିବା କାରଣରୁ ବର୍ତମାନ ପର୍ଯ୍ୟନ୍ତ କଟକଣା ଲାଗି ରହିଥିଲା । କଟକଣା ମୁତାବକ ଦୋକାନ ବଜାର ରାତି ୮ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏବେ କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛନ୍ତି ।

କହିରଖୁ କି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସବୁ ପ୍ରକାର ପ୍ରତିବନ୍ଧକ ଲଗାଯାଇଥିଲା । ଏମିତି କି କିଛିମାସ ଧରି ପୁରା ରାଜଧାନୀରେ ଦୋକାନ ବଜାର ବନ୍ଦ କରିଦିଆଯାଇଥିଲା । ହେଲେ ସଂକ୍ରମଣ ହାର କମିବା ପରେ ଧିରେ ଧିରେ ଗୋଟିଏ ଗୋଟିଏ ପ୍ରତିବନ୍ଧକ ହଟାଇବାରେ ଲାଗିଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ପ୍ରତିବନ୍ଧକ ହଟାଯାଇଥିଲେ ବି କରୋନା କଟକଣା ନମାନିବା କ୍ଷେତ୍ରରେ ଅନେକ ସମୟରେ କିଛି ବଜାରକୁ ସଟଡାଉନ ଘୋଷଣା କରାଯାଉଥିଲା । ହେଲେ ଏବେ ଦିଲ୍ଲୀର ସମସ୍ତ ଦୋକାନ ବଜାର କରୋନା କଟକଣା ମୁକ୍ତ କରାଯାଇଛି ।

କିଛିଦିନ ହେବ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ମାମଲା ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ସମାଚାର ସୂଚନା ମୁତାବକ ଶନିବାର ଦିନ ଦିଲ୍ଲୀରେ ମାତ୍ର ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡକଥା ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମଣରେ କୌଣସି ଲୋକଙ୍କର ମୃତ୍ୟୁ ହୋଇ ନାହିଁ ।
ଅନ୍ୟପଟେ ଏବେ ରାଜଧାନୀରେ ସକ୍ରିୟ ମାମଲା ମାତ୍ର ୪୩୦ ରହିଛି । ରାଜଧାନୀରେ କରୋନା ସଂକ୍ରମଣରୁ ମୋଟ ୧୪,୧୧,୭୮୪ ସୁସ୍ଥ ହୋଇଥିବା ବେଳେ ୨୫,୦୭୯ ଜଣଙ୍କର ମୃତ୍ୟୁ ହୋଇଛି ।