ଦିଲ୍ଲୀରେ ନିର୍ମାଣ ଶ୍ରମିକଙ୍କ ପାଇଁ କେଜ୍ରିୱାଲଙ୍କ ଉପହାର, ପ୍ରଦୁଷଣ ବେଳେ କାମ ପାଇ ନଥିବାରୁ ପ୍ରତ୍ୟେକଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ସହାୟତା

188

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ବିଜେପି ବ୍ୟତୀତ ଏବେ ଅନ୍ୟ ଦୁଇଟି ଦଳ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି । ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି । ମମତା ଦିଲ୍ଲୀଗାଦି ଲୋଭରେ ବିଭିନ୍ନ ରାଜ୍ୟରେ ନିଜର ସଂଗଠନ ମଜବୁତ କରିବାକୁ ଯାଇ ଅନ୍ୟଦଳର ନେତାଙ୍କୁ ନିଜ ଦଳରେ ସାମିଲ କରୁଥିବା ବେଳେ କେଜ୍ରିୱାଲ ନାଗରିକଙ୍କ ମୌଳିକ ଅଧିକାର ସୁରକ୍ଷିତ କରିବା ଲକ୍ଷ୍ୟନେଇ ରାଜନୀତି କରୁଛନ୍ତି ।

କିଛିଦିନ ତଳେ ଦିଲ୍ଲୀରେ ବାୟୁ ପ୍ରଦୁଷଣ କାରଣରୁ ଲକଡାଉନ ଘୋଷଣା କରାଯାଇଥିଲା । ଏହି ସମୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିଲା । ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଥିଲା । ଏହି କ୍ରମରେ ରାଜ୍ୟର ନିର୍ମାଣ ଶ୍ରମିକମାନେ ପାଖା ପାଖି ୧୦ ଦିନ ଧରି କାମ କରିବାକୁ ଯାଇପାରିନଥିଲେ । ଏହାକୁ ହୃଦୟଙ୍ଗମ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । କେଜ୍ରିୱାଲ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ରାଜ୍ୟର ସମସ୍ତ ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବାକୁ ।

କହିରଖୁ କି ମାଗଣା ରାଜନୀତି କରୁଥିବା ନେଇ ବିରୋଧୀମାନେ ବାରମ୍ବାର କେଜ୍ରିୱାଲଙ୍କୁ ଭତ୍ସନା କରୁଥିବା ବେଳେ ଏହି ରାଜନୀତିିରୁ ନିଜର ଭୋଟବ୍ୟାଙ୍କ ସୃଷ୍ଟି କରିବାରେ ସକ୍ଷମ ହେଉଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ପାଣି, ବିଜୁଳି, ସ୍ୱାସ୍ଥ୍ୟ ଓ ଶିକ୍ଷା ପରେ କେଜ୍ରିୱାଲ ପଞ୍ଜାବରେଳ ଆପ୍ ସରକାର ଗଠନ ହେଲେ ରାଜ୍ୟର ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହାସହ ଗୋଆରେ ବି କେଜ୍ରିୱାଲ ଅନେକ ମାଗଣା ଯୋଜନା ଘୋଷଣା କରିସାରିଛନ୍ତି ।