କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଲା କେଜ୍ରିୱାଲ ସରକାର । ଦିଲ୍ଲୀରେ ଆଇପିଏଲ ଓ ବଡ ବଡ ଇଭେଣ୍ଟ ଉପରେ  ଲାଗିଲା ରୋକ ।

402

କନକ ବ୍ୟୁରୋ : କରୋନା ଭାଇରସର ମୁକାବିଲା ପାଇଁ ଅଣ୍ଟା ଭିଡିଲେ ଦିଲ୍ଲୀ ସରକାର । ରାଜଧାନୀ ଦିଲ୍ଲୀରେ କୌଣସି ବଡ ଇଭେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ସରକାର । ଆଉ ଏହା ମଧ୍ୟରେ ଆଇପିଏଲ ମଧ୍ୟ ରହିଛି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରେସମିଟ କରି କହିଛନ୍ତି, ପୂରା ଦେଶ କରୋନା ଭାଇରସ ସହ ଲଢୁଛି ତେଣୁ ଏହା ବ୍ୟାପିବା ପୂର୍ବରୁ ଆମେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଗୋଟିଏ ସ୍ଥାନରେ ହଜାରରୁ ଅଧିକ ଲୋକ ଏକତ୍ରିତ ଯେପରି ନହେବେ ସେଥିପାଇଁ ଏଭଳି ନିଷ୍ପତି ନେଇଛନ୍ତି କେଜ୍ରିୱାଲ ସରକାର ।  ସରକାରଙ୍କ ଆଗାମୀ ନିଷ୍ପତି ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସିସୋଦିଆ କହିଛନ୍ତି । ଏନେଇ ଦିଲ୍ଲୀର ସମସ୍ତ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ।

ସେହିଭଳି ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସର ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ସାଧାରଣ ଲୋକଙ୍କୁ ଠାରୁ ଦୂରେଇ ରଖିବା ସହ ୧୪ ଦିନ ପର୍ଯ୍ୟନ୍ତ ଘରେ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନୀଷ । ଏହାପୂର୍ବରୁ ଗତକାଲି କରୋନାର ମୁକାବିଲା ପାଇଁ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏପରିକି ସିନେମା ହଲ ମଧ୍ୟ  ନ ଖୋଲିବାକୁ ନିଷ୍ପତି ନିଆଯାଇଥିଲା । ଏହାବାଦ୍ ଦିଲ୍ଲୀର ସମସ୍ତ ସ୍ୱିମିଙ୍ଗ ପୁଲକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

ତେବେ ଆଇପିଏଲରେ ହଜାର ହଜାର ସଂଖ୍ୟକ ଦର୍ଶକ ଏକାଠି ହେବାର ସମ୍ଭାବନା ଥିବାରୁ ଦିଲ୍ଲୀରେ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ଉପରେ ରୋକ ଲଗାଇଛନ୍ତି ସରକାର । ଦିଲ୍ଲୀରେ ଆଇପିଏଲ ଭଳି ବଡ ବଡ ଖେଳ ଇଭେଣ୍ଟ ଉପରେ ମଧ୍ୟ ରୋକ ଲାଗିଛି । ଏହାପୂର୍ବରୁ ମହାରାଷ୍ଟର ମନ୍ତ୍ରୀ ଆଇପିଏଲ ଘୁଞ୍ଚାଇବାକୁ କହିଥିଲେ । ଏସବୁ ଭିତରେ ଆସନ୍ତାକାଲି ଆଇପିଏଲର କାଉନସିଲ ବୈଠକ ବସିବାକୁ ଯାଉଛି, ଯେଉଁଠି ଏହି ଟୁର୍ଣ୍ଣାମେଣ୍ଟ ବାବଦରେ ନିଷ୍ପତି ନିଆଯିବ ।