ତାଲା ବନ୍ଦ ପାଇଁ  ଦିଲ୍ଲୀ  ପ୍ରସ୍ତୁତ : ସୁପ୍ରିମକୋର୍ଟରେ  ସତ୍ୟପାଠ ଦାଖଲ କଲେ କେଜ୍ରିୱାଲ

201

କନକ ବ୍ୟୁରୋ: ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାକୁ ସଂପୂର୍ଣ୍ଣ  ଲକଡାଉନ୍ କରିବାକୁ ପ୍ରସ୍ତୁତ ଅଛନ୍ତି ଦିଲ୍ଲୀ ସରକାର । ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଦିଲ୍ଲୀ ସରକାର । ଏନସିଆର ଅଂଚଳ ଓ ପଡୋଶୀ ରାଜ୍ୟରେ ମଧ୍ୟ ଲକଡାଉନ୍ ଲଗାଇଲେ ଏହାର ସୁଫଳ ମିଳିପାରିବ ବୋଲି କହିଛନ୍ତି କେଜ୍ରିୱାଲ ସରକାର ।

ପ୍ରଦୂଷଣ ନେଇ ସରକାରଙ୍କ ଉପରେ ପୂର୍ବରୁ ବର୍ଷିଥିଲେ ସର୍ବୋଚ୍ଚ ନ୍ୟାୟାଳୟ  । ଆବଶ୍ୟକ ପଡ଼ିଲେ ଲକଡାଉନ୍ ପରି ପଦକ୍ଷେପ ନେଇପାରିବେ ବୋଲି କହିଥିଲେ କୋର୍ଟ  । ଏହା ପରେ କେଜ୍ରିୱାଲ ସରକାରଙ୍କ ପକ୍ଷରୁ ଜରୁରି ବୈଠକ ଡକାଯାଇଥିଲା । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ୧୭ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଛି । ପିଲାମାନେ ଅନ୍ଲାଇନ୍ରେ ପାଠ ପଢିବେ । ନିର୍ମାଣ କାମ ମଧ୍ୟ ବନ୍ଦ ରହିଛି । ସରକାରଙ୍କ ପଦକ୍ଷେପ ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିଛି । ଶୁକ୍ରବାର ଦିଲ୍ଲୀର ଏୟାର କ୍ୱାଲିଟି ଇନ୍ଡେକ୍ସ-ଏକ୍ୟୁଆଇ ୪୭୧ ଥିବା ବେଳେ ରବିବାର ସୁଦ୍ଧା ଏହା ୩୩୦କୁ ଖସି ଆସିଛି । ତଥାପି ଏହା ଅତି ଖରାପ ସ୍ତରରେ ରହିଛି । କାରଣ ଏକ୍ୟୁଆଇ ୩୦୧ରୁ ୪୦୦ ମଧ୍ୟରେ ରହିଲେ ଏହାକୁ ଅତି ଖରାପ ସ୍ତର ବୋଲି ବିଚାର କରାଯିବ । ସେପଟେ ଏୟାର କ୍ୱାଲିଟି ମେନେଜମେଂଟ କମିଶନ ପଡୋଶୀ ରାଜ୍ୟ ଗୁଡ଼ିକୁ ମଧ୍ୟ ସମାନ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ହରିୟାଣା, ରାଜସ୍ଥାନ, ଉତରପ୍ରଦେଶରେ ନଡା ପୋଡି ଉପରେ ରୋକ୍ ଲଗାଇବା ସହ କିଛି ଦିନ ପାଇଁ ନିର୍ମାଣ କାମ ବନ୍ଦ କରିବାକୁ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଇଛି ।