କନକ ବ୍ୟୁରୋ : ବନ୍ୟା ପାଣିରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ବର୍ଷା ଓ ବନ୍ୟା ଜଳ ପାଇଁ ଦିଲ୍ଲୀରେ ଅତି ଗମ୍ଭୀର ସ୍ଥିତି ଉପୁଜିଛି । ଏହାରି ଭିତରେ କିନ୍ତୁ ଯମୁନା ନଦୀ ଜଳସ୍ତର ଧୀରେଧୀରେ ହ୍ରାସ ପାଉଥିଲେ ସୁଦ୍ଧା ଦିଲ୍ଲୀରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଛି । ଜଳସ୍ତର ଆଗକୁ ଆହୁରି କମିବ । ତେବେ ବନ୍ୟା ଜଳ ସୁପ୍ରିମକୋର୍ଟ, ରାଜଘାଟ ସମେତ ଅନେକ ପ୍ରମୁଖ ଅଞ୍ଚଳରେ ପହଞ୍ଚିଛି । ବନ୍ୟା ଜଳ ପାଇଁ ଟ୍ରାଫିକ୍ ସ୍ଥିତି ସାଂଘାତିକ ରୂପ ନେଇଛି ।

Advertisment

ଦିଲ୍ଲୀର ତିଳକ ମାର୍ଗରେ ଥିବା ସୁପ୍ରିମକୋର୍ଟର ପ୍ରବେଶ ପଥରେ ବନ୍ୟା ଜଳ ଜମିରହିବାରୁ ଯାତାୟାତରେ ଗୁରୁତର ସମସ୍ୟା ଉପୁଜିଛି । ୫୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ରାସ୍ତା ଜଳମଗ୍ନ ହୋଇଯାଇଛି । ଉତର ପଶ୍ଚିମ ଦିଲ୍ଲୀର ମୁକୁନ୍ଦପୁର ନିକଟରେ ଶୁକ୍ରବାର ଦିନ ବନ୍ୟା ଜଳରେ ୩ ଜଣ ନାବାଳକ ବୁଡ଼ି ଯାଇଛନ୍ତି । ସେମାନେ ଗାଧୋଇବାପାଇଁ ପାଣିକୁ ଡେଇଁ ପଡ଼ିବା ଫଳରେ ବୁଡ଼ିଯାଇଥିଲେ ।

ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପରାଜ୍ୟପାଳ ଭିକେ ସାକ୍ସେନା ମଧ୍ୟ ଶୁକ୍ରବାର ଦିନ ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟା ମୁକାବିଲା ପାଇଁ ସେନାର ସହାୟତା ଲୋଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ରବିବାର ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି ।