କନକ ବ୍ୟୁରୋ : ଦିଲ୍ଲୀକୁ ଦୋହଲାଇ ଦେଇଛି ଯମୁନା ନଦୀ ବନ୍ୟା ପାଣି । ପୂରା ରାଜଧାନୀରେ ଯେଉଁଠି ଆଖି ପଡୁଛି ସବୁଠି କେବଳ ବନ୍ୟାପାଣି । ସୁପ୍ରିମକୋର୍ଟଠୁ ନେଇ ଶଶ୍ମାନଘାଟ । ମୁଖ୍ୟମନ୍ତ୍ରୀ ଆବାସଠୁ ନେଇ ସରକାରୀ କାର୍ଯ୍ୟାଳୟ । ସବୁ କିଛି ଯମୁନା ପାଣିରେ ଉବୁଟୁବୁ ହେଉଛି ।

Advertisment

ବନ୍ୟାପାଣି ପଶିବାଯୋଗୁଁ ରାଜଧାନୀ ଦିଲ୍ଲୀକୁ ପିଇବାପାଣି ଯୋଗାଉଥିବା ତିନୋଟି ୱାଟର ପ୍ଲାଣ୍ଟ ବନ୍ଦ ହୋଇପଡିଛି । ଗୋଟେପଟେ ବନ୍ୟାପାଣିରେ ରାଜଧାନୀବାସୀ ଉବୁଟୁବୁ ହେଉଥିବାବେଳେ ଅନ୍ୟପଟେ ପିଇବା ପାଇଁ ମିଳୁନି ପାଣି । ସେପଟେ ବନ୍ୟା ଅଂଚଳକୁ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଭିକେ ସକସେନା ସ୍ଥିତିର ସମୀକ୍ଷା କରିଛନ୍ତି ।

ବନ୍ୟାପ୍ରଭାବିତ ଅଂଚଳରେ ପହଁଚି ଏନଡିଆରଏଫ ଉଦ୍ଧାର କରୁଛି । ସେପଟେ କିଛି ଲୋକ ନିଜ ଘର ଛାତ ଉପରେ ଆଶ୍ରୟ ନେବା ସହ ଆଉ କିଛି ଅସ୍ଥାୟୀ ଶିବିରରେ ଦିନ ବିତାଉଛନ୍ତି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ରହିବା, ଖାଦ୍ୟ ଓ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଦିଲ୍ଲୀ ବନ୍ୟାକୁ ନେଇ ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି । କିଭଳି ଏହି ବନ୍ୟାରୁ ରାଜଧାନୀକୁ ରକ୍ଷା କରିବେ ସେନେଇ ଭାଲେଣିରେ ପଡିଛନ୍ତି ଦିଲ୍ଲୀ ସରକାର । ସଂଗୀନ ସ୍ଥିତିରେ ସେନାଠୁ ସାହାର୍ଯ୍ୟ ଲୋଡିଛନ୍ତି କେଜ୍ରିୱାଲ ସରକାର ।

ମିଳିଥିବା ସୂଚନା ଅନୁସାରେ ଫ୍ରାନ୍ସଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଫୋନଯୋଗେ ଗୃହମନ୍ତ୍ରୀ ଅମିତ ଶାହାଙ୍କଠୁ ଦିଲ୍ଲୀର ବନ୍ୟାସ୍ଥିତି ସମ୍ବନ୍ଧରେ ପଚାରିବୁଝିଛନ୍ତି । ତେବେ ଆଶ୍ୱସ୍ତିର କଥା ହେଉଛି ଦିଲ୍ଲୀରେ ବର୍ଷାର ପରିମାଣ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା କମ ଥିବାରୁ ଯମୁନା ନଦୀର ପାଣି ବୃଦ୍ଧି ପାଇନି । ତେବେ ଆଗାମୀ ୨ଦିନ ପାଇଁ ଆଇଏମଡି ସର୍ତକ ସୂଚନା ଜାରି କରିଛି ।