କନକ ବ୍ୟୁରୋ : ଦିଲ୍ଲୀର ସାକେତ କୋର୍ଟ ପରିସରରେ ମହିଳାଙ୍କୁ ଗୁଳିମାଡ଼ । ଓକିଲ ପୋଷାକରେ ଆସି ମହିଳାଙ୍କୁ ଆକ୍ରମଣ କଲା ଦୁର୍ବୃତ୍ତ । ମହିଳାଙ୍କ ଉପରେ ୪ରାଉଣ୍ଡ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ତେବେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଉପରେ ଗୁଳିମାଡ଼ ପରେ ତାଙ୍କ ଚିତ୍କାର ଶୁଣି କୋର୍ଟ ପରିସରରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଛନ୍ତି ।

Advertisment

ସୂଚନା ଅନୁସାରେ ଏକ ମାମଲାରେ ମହିଳା ଜଣକ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ ଆସିଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି । ସକାଳେ କୋର୍ଟ ଖୋଲିବା ବେଳେ ଏପରି ଏକ ଘଟଣା ଯୋଗୁଁ କୋର୍ଟ ପରିସରରେ ହଙ୍ଗାମା ଦେଖିବାକୁ ମିଳିଥିଲା । କଡ଼ା ସୁରକ୍ଷା ଭିତରେ କେମିତି ଜଣେ ବ୍ୟକ୍ତି ବନ୍ଧୁକ ଧରି କୋର୍ଟ ପରିସରକୁ ପ୍ରବେଶ କଲେ ସେ ନେଇ ପ୍ରଶ୍ନ ଉଠୁଛି । ମହିଳାଙ୍କୁ କୋର୍ଟ ପରିସରରେ ଦେଖୁ ଦେଖୁ ଦୁର୍ବୃତ୍ତ ଜଣକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ୪ଟି ଗୁଳି ମହିଳାଙ୍କ ପେଟ ଓ ଅନ୍ୟ ଭାଗରେ ବାଜିଛି ।