ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଇଡିର ବଡ ଦାବି । ପ୍ରମାଣ ନଷ୍ଟ ପାଇଁ ୧୪୦ ମୋବାଇଲ ବ୍ୟବହାର

443

କନକ ବ୍ୟୁରୋ : ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ବୟାନବାଜି ଜୋର ଧରିଥିବା ବେଳେ ଅବକାରୀ ଦୁର୍ନୀତିକୁ ନେଇ ଇଡି ନୂଆ ଦାବି କରିଛି । ପ୍ରମାଣ ନଷ୍ଟ ପାଇଁ ଗୋଟିଏ କି ଦୁଇଟି ନୁହେଁ ୧୪୦ଟି ମୋବାଇଲ ବ୍ୟବହାର ହୋଇଥିବା ଇଡି ଦାବି କରିଛି । ଆଉ ଏହି ମୋବାଇଲ କିଣାରେ କୋଟିଏରୁ ଦୁଇ କୋଟି ମଧ୍ୟରେ ଖର୍ଚ୍ଚ ହୋଇଛି । ଆଉ ଏହି ମୋବାଇଲ ମନୀଷ ସିସୋଦିଆଙ୍କ ସମେତ ଅନ୍ୟାନ୍ୟ ଅଭିଯୁକ୍ତ ବ୍ୟବହାର କରିଥିବା ଦାବି କରିଛି ଇଡି । ନିର୍ବାଚନ ବେଳେ ଇଡିର ଏହି ନୂଆ ଦାବି କେନ୍ଦ୍ରର ଶାସକ ଦଳ ବିଜେପିକୁ ବେଶ ସୁହାଇଛି ।

ଦିଲ୍ଲୀ ଅବକାରୀ ନୀତିର କିଛି ଅଂଶ ଲାଗୁ ହେବା ପୂର୍ବରୁ ଲିକ୍ ହୋଇଥିଲା । ଇଡି ତଦନ୍ତର ଏହା ଜାଣିବାକୁ ପାଇଛି । ଯେଉଁଥିରେ କିଛି ନିର୍ଦ୍ଦିଷ୍ଟ କମ୍ପାନୀକୁ ଦିଲ୍ଲୀ ସରକାର ଅନୁକମ୍ପା ଦେଖାଇଥିବା ସୂଚନା ମିଳିଛି । ତେବେ ଏହି ସବୁ ଦୁର୍ନୀତିର ପ୍ରମାଣ ନଷ୍ଟ କରିବାକୁ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ କିଛି ଭିଆଇପି ୧୪୦ ଟି ମୋବାଇଲ ପରିବର୍ତନ କରିଥିବା ଇଡି କହିଛି । ଏଥିସହ ଏହି ମାମଲାରେ ଜଡିତ ଥିବା ପରନୋଦ ରିଚାର୍ଡର ମ୍ୟାନେଜର ବେନୟ ବାବୁ ଏବଂ ଅରବିନ୍ଦ ଫାର୍ମାସିର ନିର୍ଦ୍ଦେଶକ ସାର୍ଥକ ରେଡ୍ଡିଙ୍କୁ ଗିରଫ କରିଛି ଇଡି ।

ଏହି ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ଇଡି ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଏଥିରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଛି । ହେଲେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ମନୀଷ ସିସୋଦିଆଙ୍କୁ ଇଡି ପଚରାଉଚରା କରିଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।