କନକ ବ୍ୟୁରୋ: ଆଜି ଆସିବ ଦିଲ୍ଲୀ ରାୟ । ଦିଲ୍ଲୀ ବିଧାନସଭା ପାଇଁ ହୋଇଥିବା ଭୋଟର ଗଣତି ହେବ । ଆଜି ସ୍ପଷ୍ଟ ହୋଇଯିବ ଦିଲ୍ଲୀରେ କାହାର ଚାଲିବ ରାଜ, କିଏ ଦଖଲ କରିବ ଦିଲ୍ଲୀ । ଆଜି ସକାଳ ୮ଟାରୁ ୨୧ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହେବ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ସଠିକ ଓ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି କରିବା ପାଇଁ ସବୁ ବ୍ୟବସ୍ଥା ହୋଇଛି ।

Advertisment

ସେପଟେ, ଆମ ଆଦମୀ ପାର୍ଟିକୁ ଘାରିଛି ଇଭିଏମ୍ ଡର । ଏଥିପାଇଁ ସତର୍କ ରହିବାକୁ ଆମ ଆଦମି ପାର୍ଟିର କର୍ମକତାମାନଙ୍କୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଶେଷକରି ଇଭିଏମ ରହିଥିବା ଷ୍ଟ୍ରଙ୍ଗରୁମ ଉପରେ ନଜର ରଖିବାକୁ କୁହାଯାଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ବୁଥ୍ ବାହୁଡା ମତ ରହିଛି ଆମ ଆଦମୀ ପାର୍ଟି ସପକ୍ଷରେ । ହେଲେ ବିଜେପି କିନ୍ତୁ କିଛି ଅଲଗା କହୁଛି । ଦିଲ୍ଲୀରେ ବିଜେପିର ଚେହେରା ବନିଥିବା ମନୋଜ ତିୱାରୀଙ୍କ ଦାବି କରିଛି ଏଗଜିଟ୍ ପୋଲ୍ ରିପୋର୍ଟ ଭୁଲ୍ ହୋଇଯିବ । ବିଜେପି ଦିଲ୍ଲୀରେ ଦଖଲ କରିବ ୪୮ ଆସନ । ଏଗଜିଟ୍ ପୋଲ୍ ନୁହଁ ବିଜେପିର ଦାବି ଆସନ୍ତା ୧୧ ତାରିଖର ଏଗଜାଟ୍ ପୋଲ୍ ରିପୋର୍ଟକୁ ଅପେକ୍ଷା କରନ୍ତୁ ।

ବିଜେପିର ଏପରି ଦମ୍ଭୋକ୍ତି ପରେ ଆମ ଆଦମୀ ପାର୍ଟି ଭିତରେ ଖେଳି ଯାଇଛି ଅଜଣା ଭୟ । ତେବେ ଯଦି ଆମେ ଇତିହାସକୁ ଦେଖିବା ତେବେ, ୨୦୧୫ରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୩ଟି ଆସନରେ ଜିତିପାରିଥିଲା । ଖାତା ଖୋଲିପାରିନଥିଲା କଂଗ୍ରେସ । ୨୦୧୩ରେ ଆପ ଏଠାରେ ସରକାର ଗଠନ କରିଥିଲା । ଡିସେମ୍ବର ୨୦୧୩ରୁ ଫେବ୍ରୁଆରୀ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ଇସ୍ତଫା ଦେଇଥିଲେ ଅରବିନ୍ଦ କେଜ୍ରିୱାଲ । ୪୯ଦିନ ପରେ ଭାଙ୍ଗି ଯାଇଥିଲା ସରକାର । ଏହାପରେ ୨୦୧୫ରେ ହୋଇଥିଲା ଭୋଟ । ପୂର୍ଣ୍ଣ ବହୁମତ ପାଇ ଅରବିନ୍ଦ କେଜ୍ରିୱାଲ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ବନିଥିଲେ ।

୨୧ଟି କେନ୍ଦ୍ରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପାରାମିଲିଟାରୀ ଫୋର୍ସ ଓ ଦିଲ୍ଲୀର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଇଭିଏମର ସୁରକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଫେବ୍ରୁଆରୀ ୮ ତାରିଖରେ ଶେଷ ହୋଇଥିବା ମତଦାନରେ ୬୨.୫୯ ପ୍ରତିଶତ ପୋଲିଂ ହୋଇଥିଲା । ଆସନ୍ତାକାଲି ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ସ୍ଥିର ହୋଇଛି । ଭୋଟଗଣତି ଏବଂ ବ୍ୟକ୍ତିଗତ ଆସନଗୁଡିକରେ ସମସ୍ତ ତଥ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ।