ଡିଏମଆରସିର ବଡ ସଫଳତା, ଦିଲ୍ଲୀର ପିଙ୍କ୍ ଲାଇନରେ ଆରମ୍ଭ ହେଲା ବିନା ଡ୍ରାଇଭରରେ ମେଟ୍ରୋ ସେବା

95

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁବାର ଦିନ ଏକ ଖୁସି ଖବର ଆସିଛି । ଡିଏମଆରସି ପୁଣି ଏକ ନୁଆ ମାଇଲ ଖୁଣ୍ଟ ପାର କରିଛି । ଦିଲ୍ଲୀ ମେଟ୍ରୋରେ ୫୯ କିଲୋମିଟର ବ୍ୟାପି ପିଙ୍କ ଲାଇନ ଉପରେ ବିନା ଡ୍ରାଇଭରରେ ଟ୍ରେନ୍ ସଂଚାଳନ କରାଯାଇଛି । ଏହାକୁ ମିଶାଇ ଡିଏମଆରସି ତରଫରୁ ମୋଟ ୯୭ କିଲୋମିଟର ରେଳ ଲାଇନରେ ବିନା ଡ୍ରାଇଭରରେ ରେଳ ଚଳା ଚଳ କରିବାର ଯୋଗ୍ୟତା ହାସଲ କରିଛି । ଏହି ମାମଲାରେ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି ଦିଲ୍ଲୀ ମେଟ୍ରୋ ।

କେନ୍ଦ୍ରମନ୍ତ୍ରୀ ହରଦୀପସିଂ ପୁରୀ ଓ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବିନା ଚାଳକ ବିଶିଷ୍ଠ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । କହିରଖୁ କି ଦେଶର ପ୍ରଥମ ଚାଳକ ବିହିନ ଟ୍ରେନକୁ ଗତବର୍ଷ ନଭେମ୍ବର ୨୮ ତାରିଖରେ ମେଜେଣ୍ଟା ଲାଇନରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ହରଦୀପସିଂ ପୁରୀ କହିଛନ୍ତି କି “ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଡିଏମଆରସି ନେଟୱାର୍କ ତରଫରୁ ଦ୍ୱିତୀୟ ଚାଳକ ବିହିନ ସଂଚାଳନ ଆରମ୍ଭ ହୋଇଛି । ମୁଁ ବିଶ୍ୱର ଅନେକ ସ୍ଥାନରେ ଚାଳକ ବିହିନ ରେଳ ସେବା ଦେଖିଛି, ହେଲେ ଦିଲ୍ଲୀ ମେଟ୍ରୋ ବିଶ୍ୱର ସର୍ବଶ୍ରେଷ୍ଠ ସ୍ଥାନରେ ରହିବ ବୋଲି ମୁଁ ଆଶା କରୁଛି ।”