ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ୩ବର୍ଷର ରେକର୍ଡ ଭାଙ୍ଗିଲା ପ୍ରଦୁଷଣ ମାତ୍ରା: ଲାଗୁ ହେଲା ଅଡ୍-ଇଭେନ୍ ଫର୍ମୁଲା; ନିୟମ ଉଲ୍ଲଂଘନ କଲେ ୩ରୁ ୪ହଜାର ଜୋରିମାନା

ସାଇକେଲ ଚଳାଇ ଆସିଲେ ଉପମୁଖ୍ୟମନ୍ତ୍ରୀ ମନୀଷ୍ ଶିଶୋଦିଆ

166

କନକ ବ୍ୟୁରୋ: ବିଷ ବଳୟରେ ଦିଲ୍ଲୀ । ରେକର୍ଡ ସ୍ତରରେ ପହଁଚିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୁଷଣ । ପ୍ରଦୁଷଣ ଭୟଙ୍କର ହେଉଥିବାରୁ ଆଜିଠାରୁ ଲାଗୁ ହୋଇଛି ଅଡ୍-ଇଭିନ୍ ଫର୍ମୁଲା । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁହେବ । ଅଡ୍-ଇଭିନ୍ ଅର୍ଥାତ୍ ଯୁଗ୍ମ-ଅଯୁଗ୍ମ ସଂଖ୍ୟା ନମ୍ବର ଥିବା ଗାଡ଼ି ସ୍ଥିର ହୋଇଥିବା ଦିନ ଅନୁସାରେ ଦିଲ୍ଲୀରେ ଚାଲିବ । ଅର୍ଥାତ ଆଜି ୪ତାରିଖ ଥିବାରୁ ୨, ୪,୬ ଓ ୮ ନମ୍ବର ଗାଡି ଚାଲିବ । ଏବଂ ଏହି ନିୟମ ଉଲଂଘନ କଲେ ୩ରୁ ୪ ହଜାର ଯାଏଁ ଜୋରିମାନା ଦେବାକୁ ପଡ଼ିବ ।

ପୂର୍ବରୁ ଏହି ଜୋରିମାନାର ପରିମାଣ ୨ ହଜାର ଥିଲା । ତେବେ ଏହି ବ୍ୟବସ୍ଥାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ମୁଖ୍ୟବିଚାରପତି, ୟୁପିଏସ୍ସି ଚେୟାରମ୍ୟାନଙ୍କ ଭଳି ଭିଭିଆଇପିଙ୍କୁ ବାଦ ଦିଆଯାଇଛି । ସେହିପରି ମହିଳା କିମ୍ବା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ି ଗୁଡ଼ିକ ପାଇଁ ଏହି ନିୟମ କୋହଳ କରାଯାଇଛି । ଦିଲ୍ଲୀରେ ଚାଲୁଥିବା ସମସ୍ତ ଗାଡ଼ି ଏବଂ ବାହାର ରାଜ୍ୟରୁ ଦିଲ୍ଲୀକୁ ଯାଉଥିବା ସମସ୍ତ ଗାଡ଼ି ଉପରେ ଏହି ଅଡ୍-ଇଭିନ ଫର୍ମୁଲା ଲାଗୁ ହେବ । ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଦିଲ୍ଲୀର କେଜ୍ରିୱାଲ ସରକାର ଏହି ନିୟମ ଲାଗୁ କରିଥିଲେ ।

ଦିଲ୍ଳୀରେ ଅଡ ଇଭିନ ଫର୍ମୁଲା ଲାଗୁ ହେବା ପରେ ନେତା ଓ ମନ୍ତ୍ରୀ ଏହି ମାନିଥିବା ଚଳାଇଥିବା ଦେଖିବାକୁ ମିଳିଛି । ଉପମୁଖ୍ୟମନ୍ତ୍ରୀ ମନୀଷ ଶିଷୋଦିଆ ସାଇକେଲ ଚଳାଇ ତାଙ୍କ କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାଥୀ ମନ୍ତ୍ରୀଙ୍କ ସହ କାଯ୍ୟାଳୟକୁ ଯାଇଛନ୍ତି । ଅଡ ଇଭିନ ଫର୍ମୁଲା ନେଇ ମନୀଷ ଶିଶୋଦିଆ କହିଛନ୍ତି ଏହି ସମସ୍ୟା କେବଳ ଦିଲ୍ଲୀର ନୁହେଁ । ବରଂ ପୁରା ଉତ୍ତର ଭାରତର । ତେଣୁ ଏହାକୁ କମ୍ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ।