ଦିଲ୍ଲୀ ସରକାରଙ୍କ ବଡ ନିର୍ଦ୍ଦେଶ, କରୋନା ପ୍ରଭାବିତ ପରିବାରକୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶି

139

କନକ ବ୍ୟୁରୋ : କୋଭିଡ-୧୯ କାରଣରୁ ପରିଜନକୁ ହରାଇଥିବା ପରିବାର ଲୋକଙ୍କ ଦିଲ୍ଲୀ ସରକାର ୫୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ । ଜଣେ ଅଧିକାରୀ କହିଛନ୍ତି କି ଦିଲ୍ଲୀ ସରକାର ପ୍ରଥମେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଜନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ଓ ଏବେ ଏହା ଅତିରିକ୍ତ ରାଶି ଭାବେ ପ୍ରଦାନ କରାଯିବ ।

ଦିଲ୍ଲୀ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ପୀଡିତ ପରିବାରକୁ ଅତିରିକ୍ତ ୫୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲା ମାଜିଷ୍ଟେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ସପ୍ତାହ ଶେଷ ସୁଦ୍ଧା ଏନେଇ ନୋଟିସ ଜାରି କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ପରିବାର ଆର୍ଥିକ ସହାୟତା ଯୋଜନା କ୍ରମରେ ରାଜ୍ୟରେ ପାଖାପାଖି ୨୧ ହଜାର ପରିବାରକୁ ଦିଲ୍ଲୀ ସରକାର ଦ୍ୱାରା ୫୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା ଓ ଏବେ ସେମାନଙ୍କୁ ଅତିରିକ୍ତ ରାଶି ଭାବେ ପୁଣି ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ।

ଡିଡିଏମଏ ଏକ ଆଦେଶରେ କହିଛନ୍ତି କି, “ଆବେଦନକାରୀଙ୍କୁ କୋଭିଡ-୧୯ ରେ ହୋଇଥିବା ମୃତ୍ୟୁ ସଂପର୍କରେ ଅନୁଗ୍ରହ ରାଶି ପାଇବାକୁ ସିଧାସଳଖ ଦିଲ୍ଲୀର ଜିଏନସିଟି ସମ୍ବଧିତ ଜିଲ୍ଲା ମାଜିଷ୍ଟେଟଙ୍କ ଠାରେ ଆବେଦନ କରିବାର ଆବଶ୍ୟକତା ରହିଛି ଓ ଜିଲ୍ଲା ପ୍ରଶାସନ ଏନେଇ ଯାଂଚ କରିବା ପରେ ଲାଭାର୍ଥୀଙ୍କ ଖାତାକୁ ସିଧା ସଳଖ ଟଙ୍କା ପଠାଇବେ ”

ଅନ୍ୟପଟେ ପ୍ରଥମେ କୋଭିଡ ମୃତ୍ୟୁ ମାମଲାରେ ଯେଉଁ ପରିବାର ୫୦ ହଜାର ଟଙ୍କାର ସହାୟତା ପାଇଛନ୍ତି ସେମାନଙ୍କୁ ଆଉ ଦ୍ୱିତୀୟ ଥର ଆବେଦନ କରିବାକୁ ପଡିବ ନାହିଁ । ଏନେଇ ସମସ୍ତ ସୂଚନା ଡିଡିଆରଏଫ ପାଖରେ ରହିଥିବାରୁ ସେମାନଙ୍କୁ ତୁରନ୍ତ ଏହି ସହାୟତା ରାଶି ପ୍ରଦାନ କରାଯିବ ।