ଚାଷୀ ଆନ୍ଦୋଳନ ବେଳେ ହିଂସାକାଣ୍ଡରେ ୮୦ରୁ ଅଧିକ ପୁଲିସ୍ କର୍ମୀ ଆହତ: ହିଂସାକାରୀଙ୍କ ବିରୋଧରେ ୧୨ଟି ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

ହିଂସାକାଣ୍ଡରେ ହାତ ଥିବା ନେଇ ଚାଷୀ ନେତା ଡିପ୍ ସିଦ୍ଧୁଙ୍କ ନାମ ଚର୍ଚ୍ଚାରେ

103

କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣା । ଏହି ହିଂସାକାଣ୍ଡରେ ୮୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୧୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ସେପଟେ ପଂଜାବ ଓ ହରିୟାଣାରେ ହାଇଆଲର୍ଟ । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏସବୁ ଭିତରେ ଟ୍ରାକ୍ଟର ରାଲିକୁ ସ୍ଥଗିତ କରିଛନ୍ତି ଚାଷୀ । ଏହାସହ ଚାଷୀମାନେ ପୂର୍ବରୁ ଧାରଣା ଦେଉଥିବା ସ୍ଥଳକୁ ଫେରିଛନ୍ତି । ତେବେ ଚାଷୀ ନିଜ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ । ସିଂଘୁ, ଗାଜିପୁର, ଟିକ୍ରି ଅଂଚଳରେ ଇଂଟରନେଟ ସେବାକୁ ମଧ୍ୟ ସାମୁୟିକ ଭାବେ ବନ୍ଦ କରାଯାଇଥିଲା ।

ସେପଟେ, ଦିଲ୍ଲୀ ହିଂସାକାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଆତଙ୍କୀ ଖଲିସ୍ତାନୀ ସଂଗଠନର ହାତ ଥିବା ନେଇ ଗୁଇନ୍ଦା ରିପୋର୍ଟ ଥିବା ଗୋଟିଏ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇବାକୁ ଆଇଏସଆଇ ପକ୍ଷରୁ ବାବର ଖାଲସାର ଜର୍ମାନ ଶାଖାକୁ ୫ କୋଟି ଦିଆଯାଇଥିଲା ବୋଲି ଏହି ଖବରରେ କୁହାଯାଇଛି । ସେପଟେ ଡିପ୍ ସିଦ୍ଧୁ ନାମରେ ଜଣେ ବ୍ୟକ୍ତିଙ୍କ ନାମ ଚର୍ଚ୍ଚାକୁ ଆସିଛି । ଯଦିଓ ଡିପ୍ ସିଦ୍ଧୁ ଜଣେ ଚାଷୀ ନେତା ତେବେ ଏହି ବ୍ୟକ୍ତି ଜଣକ ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି କିଛି ଚାଷୀନେତା ଅଭିଯୋଗ କରିଛନ୍ତି । ଏହାସହ ସରକାରୀ ସଂସ୍ଥା ଉପରେ ମଧ୍ୟ ଦୋଷ ଲଦିଛନ୍ତି ଆଉ କିଛି ଚାଷୀ ନେତା ।