ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ । ଅଧ୍ୟକ୍ଷ କରିବାକୁ ଦାବି କଲା ଦିଲ୍ଲୀ ପ୍ରଦେଶ କଂଗ୍ରେସ । ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ।

142

କନକ ବ୍ୟୁରୋ: କଂଗ୍ରେସ ଦଳରେ ନେତୃତ୍ୱ କନ୍ଧଳ କଥା ସବୁବେଳେ ଚର୍ଚ୍ଚାରେ ଥାଏ । କିଏ ଦଳର ଆଗାମୀ ସଭାପତି ହେବ ତାହା ବି ଏବେ ବଡ ପ୍ରଶ୍ନ ହୋଇ ରହିଛି । ଏହାରି ଭିତରେ ଦିଲ୍ଲୀ କଂଗ୍ରେସ ପକ୍ଷରୁ ରାହୁଲଙ୍କୁ ତୁରନ୍ତ ଦଳର ଅଧ୍ୟକ୍ଷ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି ।

ରବିବାର ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଚୌଧୁରୀ ଅନିଲ କୁମାରଙ୍କ ନେତୃତ୍ୱରେ ଦଳର ବୈଠକ ବସିଥିଲା । ଏଥିରେ ସର୍ବସମ୍ମତି କ୍ରମେ ତିନୋଟି ପ୍ରସ୍ତାବ ପାରିତ ହୋଇଛି । ଯେଉଁଥିରେ ରାହୁଲଙ୍କୁ ତୁରନ୍ତ ସଭାପତି କରିବା ସହିତ ଦିଲ୍ଲୀ ହିଂସା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରାଯାଇଛି ।

ଦିଲ୍ଲୀ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସକୁ ରାହୁଲ ଗାନ୍ଧୀଙ୍କ ଭଳି ଗତିଶୀଳ ଓ ଶକ୍ତିଶାଳୀ ନେତାଙ୍କ ଆବଶ୍ୟକତା ଅଛି । ତାଙ୍କ ନେତୃତ୍ୱରେ ସାଂପ୍ରଦାୟିକତା, ସତ୍ତବାଦୀ,ଅଗଣତାନ୍ତ୍ରିକ ଶକ୍ତିର ବିନାଶ ହେବା ସହିତ ଦେଶର ଉନ୍ନତି ହୋଇପାରିବ ବୋଲି କୁହାଯାଇଛି । ତେଣୁ ତାଙ୍କୁ ତକ୍ରାଳ କଂଗ୍ରେସର ସଭାପତି କରିବାକୁ ଦିଲ୍ଲୀ କଂଗ୍ରେସ ଦାବି କରିଛି ।