ଆଜିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା: ଥଣ୍ଡା, ଜ୍ୱର ଯୋଗୁଁ ଅଛନ୍ତି ଅସୁସ୍ଥ; ସଂଗରୋଧରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ

747

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ଆଜି ହେବ କରୋନା ଟେଷ୍ଟ । ତାଙ୍କୁ ହାଲକା ଜ୍ୱର ହେବା ସହ ଗଳା ସଂକ୍ରମିତ ହୋଇଛି । ସେଥି ପାଇଁ ତାଙ୍କର କରୋନା ପରୀକ୍ଷା କରାଯିବ । ସାମାନ୍ୟ ଜ୍ୱର ହେବା ପରେ ରବିବାରଠାରୁ ତାଙ୍କର ସମସ୍ତ ବୈଠକକୁ ବନ୍ଦ କରିଦିଆଯାଇଛି । ଏବଂ ସେ କାହାକୁ ଏବେ ସାକ୍ଷାତ କରୁନାହାନ୍ତି । ବର୍ତମାନ ସଙ୍ଗରୋଧରେ ଅଛନ୍ତି ଅରବିନ୍ଦ କେଜ୍ରିିୱାଲ । ଦେଶରେ ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ଦିଲ୍ଲୀରେ ବର୍ତମାନ ସୁଦ୍ଧା ପାଖାପାଖି ୨୯ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଶହେରୁ ଅଧିକରେ ପହଂଚିଛି ।

ସେପଟେ ଦିଲ୍ଲୀରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ସେବା ଯୋଗାଇବା ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନିଷ୍ପତିକୁ ଖାରଜ କରିଦେିଛନ୍ତି ଉପରାଜ୍ୟପାଳ ଅନିଲ ବୈଜଲ । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଉପରାଜ୍ୟପାଳ ଏହି ନିଷ୍ପତିକୁ ଖାରଜ କରିଥିବା ଜଣାପଡ଼ିଛି । କୌଣସି ବାହାର ରାଜ୍ୟର ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମନା କରାଯିବ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ହସ୍ପିଟାଲ ଗୁଡିକରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବ ବୋଲି ରବିବାର ଦିନ କେଜ୍ରିୱାଲ ସରକାର ନିଷ୍ପତି ନେଇଥିଲେ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଡାକ୍ତରଖାନାଗୁଡିକରେ ରାଜ୍ୟ ବାହାରର ରୋଗୀଙ୍କ ଚିକିତ୍ସା ହେବ ବୋଲି ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ।