କନକ ବ୍ୟୁରୋ: ଆସନ୍ତା ଆଠରେ ଦିଲ୍ଲୀରେ ଆରପାର ଲଢେଇ । ସତ୍ତା ପାଇଁ ୩ ପ୍ରମୁଖ ଦଳମାନଙ୍କ ମଧ୍ୟରେ ହେବ ମହା ମୁକାବିଲା । ବିଧାନସଭା ବିଗ ଫାଇଟକୁ ଆଉ ମାତ୍ର ୮ ଦିନ ବାକି ଥିବା ବେଳେ ନିର୍ବାଚନ ପୂର୍ବରୁ ବଢୁଛି ବାକଯୁଦ୍ଧ । ବିଭିନ୍ନ ପ୍ରସଙ୍ଗ ନେଇ ନେତା-ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହୁଥିବା ବେଳେ ହେଭିୱେଟମାନେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି ।

Advertisment

ତେବେ ସତ୍ତା ପାଇଁ ସବୁବେଳେ ବିଜେପି-ଆପ ମୁହଁମୁହିଁ ହେଉଥିବା ବେଳେ ଏବେ ‘ଆତଙ୍କବାଦୀ’ ନାରା ନେଇ ଉଭୟ ଉଭୟଙ୍କୁ ସମାଲୋଚନାର ଶର ମରାମରି ହେଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପିର ସାଂସଦ ପ୍ରବେଶ ବର୍ମା ଆତଙ୍କବାଦୀ କହିବା ପରେ ଜବାବ ରଖିଛନ୍ତି କେଜ୍ରିୱାଲ । ନରମ ସ୍ୱରରେ ବିରୋଧୀଙ୍କୁ ନିଶାନା କରିଛନ୍ତି କେଜ୍ରିୱାଲ ।

ଦିଲ୍ଲୀବାସୀଙ୍କୁ ପ୍ରଶ୍ନ କରି ସେ ଆତଙ୍କବାକୀ କି ବୋଲି ଉତ୍ତର ମାଗିଛନ୍ତି ଅରବିନ୍ଦ । ବିଜେପିର ଆତଙ୍କବାଦୀ ବୟାନ ମୋ ବାପା ମାଆଙ୍କୁ ବହୁତ କଷ୍ଟ ଦେଇଛି । ସେମାନଙ୍କ କହଗିବା କଥା କି ମୋ ପୁଅ ଦେଶଭକ୍ତ ଆତଙ୍କବାଦୀ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି । ତେବେ ଦେଶର ସେବା କରିବା କଣ ଆତଙ୍କବାଦୀର କାମ କି ବୋଲି ଦିଲ୍ଲୀର ଭାଇଭଉଣୀଙ୍କ ଉପରେ ନିଜ ଜବାବ ଲଦିଛନ୍ତି କେଜ୍ରିୱାଲ ।

ତେବେ କେଜ୍ରିୱାଲ କହିଛନ୍ତି ମୁଁ ଦେଶର ସେବା ପାଇଁ ସବୁକିଛି ଦେଇ ଦେଇଛି । ତନ, ମନ, ଧନ ସବୁକିଛି ଉତ୍ସର୍ଗ କରିଦେଇଛି । ଆଇଆଇଟି ଖଡଗପୁରରୁ ପାସ ହେବା ପରେ ମୁଁ ଚାହିଁଥିଲେ ବିଦେଶରେ ଯାଇ ଭଲ ଚାକିରି କରି ପାରିଥାନ୍ତି ହେଲେ ମୋ ଦେଶର ସେବା ପାଇଁ ମୁଁ ବିଦେଶ ନଯାଇ ଏଇଠି ରହିଛି । ତେଣୁ ମୁଁ କେମିତି ଜଣେ ଆତଙ୍କବାଦୀ ହୋଇପାରିବି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେପିକୁ ସମାଲୋଚନା କରିବାକୁ ଯାଇ ଗେରୁଆ ଗଡକୁ ବସ୍ତାବସ୍ତା ପ୍ରଶ୍ନ ଫୋପାଡିଛନ୍ତି ମୁଖ୍ୟମନ୍ତ୍ରୀ । ୫ ବର୍ଷ ହେଲା ଦିଲ୍ଲୀର ସବୁ ପିଲାଙ୍କୁ ନିଜର ପିଲା ଭାବି ସେମାନଙ୍କ ସ୍କୁଲ ଶିକ୍ଷାର ସୁବ୍ୟବସ୍ଥା କରିବା କଣ ଜଣେ ଆତଙ୍କବାଦୀର କାମ ? ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା କଣ ଭୁଲ? ବୟସ୍କ ଲୋକଙ୍କୁ ତୀର୍ଥଯାତ୍ରାରେ ପଠାଇବା କଣ ଆତଙ୍କବାଦୀର କାମ କି? ନା ଯେଉଁ ବୀର ଯବାନମାନେ ସୀମାରେ ଦେଶକୁ ସୁରକ୍ଷା ଦେବାକୁ ଯାଇ ନିଜର ପ୍ରାଣବଳୀ ଦେଇଛନ୍ତି ସେମାନଙ୍କ ପରିବାରର ଦାୟିତ୍ୱ ନେବା ତାଙ୍କ ପରିବାର ସଦସ୍ୟଙ୍କ ରକ୍ଷଣାବେକ୍ଷଣ କରିବା କଣ ଜଣେ ଆତଙ୍କବାଦୀର କାମ କି ? ବୋଲି ଦିଲ୍ଲୀବାସୀଙ୍କୁ ଭାବଭରା ଶବ୍ଦ ପ୍ରୟୋଗ କରି ଭୋଟ ମାଗିଛନ୍ତି କେଜ୍ରିୱାଲ ।

ତେବେ ନିର୍ବାଚନରେ ବିଜୟ ପାଇଁ ସତ୍ତା ହାସଲ କରିବା ପାଇଁ ରାଜନୀତିରେ ବିଭିନ୍ନ ସ୍ତରକୁ ଯାଇ ନେତାମାନେ ଭୋଟ ମାଗିଥାନ୍ତି । ଆଉ ଦିଲ୍ଲୀରେ ପୁଣି ଥରେ ସରକାର ଗଢିବାକୁ ଲୋକଙ୍କ ଭରସା ଜିତିବାକୁ ନିଜ ଯୋଜନାକୁ ନେଇ କେଜ୍ରିୱାଲ କ୍ୟାମ୍ପେନ କରୁଥିବା ବେଳେ ଏବେ ବିଜେପିର ଆତଙ୍କବାଦୀ ନାରାକୁ ନେଇ ଲୋକଙ୍କ ଠାରୁ ଅନୁକମ୍ପାମୂଳକ ଭୋଟ ହାତେଇବାକୁ କେଜ୍ରିୱାଲ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।