ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ପାଇଁ ଇଡି ପଠାଇଲା ସମନ

121

କନକ ବ୍ୟୁରୋ : କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଜାନୁଆରୀ ୧୮ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହାକୁ ମିଶାଇ ୪ ଥର ସମନ କରିସାରିଲାଣି ଇଡି । ନଭେମ୍ବର ୨, ଡିସମ୍ବର ୨୧ ଓ ଜାନୁଆରୀ ୩ରେ ନୋଟିସ୍ ପଠାଇଥିଲା ତଦନ୍ତକାରୀ ସଂସ୍ଥା । ପୂର୍ବ ତିନିଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିଓାଲ । ତେଣୁ ଏଥର କ’ଣ କରିବେ ତା ଉପରେ ସମସ୍ତଙ୍କ ନଜର । ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା । ଦଳ କହିଥିଲା ଯେ, କେଜ୍ରିୱାଲଙ୍କୁ ଇଡିର ସମନ ବେଆଇନ୍ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦୀ ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି । ଅବକାରୀ ଦୁର୍ନୀତି ମାମଲାରେ ଆପ୍ ଅଡ଼ୁଆରେ ପଡ଼ିଛି । ଏପରିକି ଆପ୍ର ବରିଷ୍ଠ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବେବି ଜେଲରେ ଅଛନ୍ତି । ଆମ୍ ଆଦମୀ ପାର୍ଟିର ଆଉ ଜଣେ ନେତା ସଂଜୟ ସିଂ ମଧ୍ୟ ସମାନ ମାମଲାରେ ସମ୍ପୃକ୍ତି ନେଇ ଏବେ ଜେଲରେ ଅଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ବି ତଦନ୍ତ କରୁଛି । ଗତବର୍ଷର୍ ଏପ୍ରିଲରେ କେଜ୍ରିୱାଲଙ୍କୁ ପଚରାଉଚରା କରିଥିଲା ସିବିଆଇ ।