କନକ ବ୍ୟୁରୋ : ଆଗକୁ ଆସୁଛି ଗୁଜରାଟ ନିର୍ବାଚନ । ଏହା ପୂର୍ବରୁ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ରାଜ୍ୟର ଲୋକଙ୍କୁ ପ୍ରତିଶ୍ରୁତିର ପାହାଡ ଉପରେ ଠିଆ କରାଇବାରେ ଲାଗିଛନ୍ତି । ରାଜ୍ୟର ନାଗରିକଙ୍କୁ ପ୍ରତିଶ୍ରୁତି ଦେବାରେ ସବୁଠାରୁ ଆଗରେ ରହିଛି ଆମ୍ ଆଦମୀ ପାର୍ଟି । ମାଗଣା ବିଜୁଳି, ମାଗଣା ଶିକ୍ଷା ଓ ମାଗଣା ପାଣି ପରେ ଏବେ କେଜ୍ରିୱାଲ ବିଜେପିର ଗାଈ ରାଜନୀତିକୁ ବି ଆପଣାଇଛନ୍ତି । ଏହି କ୍ରମରେ କେଜ୍ରିୱାଲ ଏକ ସଭାରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି ଯଦି ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରେ ତେବେ ଗାଈମାନଙ୍କର ଦେଖାରଖା ପାଇଁ ଦୈନିକ ୪୦ ଟଙ୍କା ହିସାରେ ଗାଈ ଚାଷୀଙ୍କୁ ପ୍ରଦାନ କରାଯିବ ।

Advertisment

ସେପଟେ ରାଜ୍ୟରେ ଆମ୍ ଆଦମୀ ପାର୍ଟ ସରକାର ଗଠନ କରୁଥିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀ କେଜ୍ରିୱାଲ । ସେ କହିଛନ୍ତି କି ସର୍ଭେ ମୁତାବକ ଆଜି ଯଦି ଗୁଜରାଟରେ ନିର୍ବାଚନ ହୁଏ ତେବେ ଆମ୍ ଆଦମୀ ପାର୍ଟି ବହୁମତ ହାସଲ କରିବ । ସେପଟେ ସର୍ଭେ ରିପୋର୍ଟ ଆସିବା ପରେ କଂଗ୍ରେସ ଓ ବିଜେପି ଗୁପ୍ତ ଭାବେ ବୈଠକ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।

ସେ ଆହୁରି ଅଭିଯୋଗ ଆଣିଛନ୍ତି ବିଜେପି ଚାହୁଁଛି ରାଜ୍ୟରେ କଂଗ୍ରେସ ମଜବୁତ ହେଉ କାରଣ ବିଜେପି ବିରୋଧୀ ଭୋଟ ଭାଗ ହୋଇଯିବ । ଏହାସହ ଆମ୍ ଆଦମୀ ପାର୍ଟିର ଭୋଟ କଂଗ୍ରେସ ଖାତାକୁ ଯିବା ନେଇ ବିଜେପି ଚକ୍ରାନ୍ତ କରୁଥିବା କଥା ସେ ଅଭିଯୋଗ କରିଛନ୍ତି । ହେଲେ ଗୁଜରାଟରେ କଂଗ୍ରେସ ୧୦ ଟି ଆସନ ଜିତି ପାରିବ ନାହିଁ ବୋଲି ସେ କହିଛନ୍ତି ।