କନକ ବ୍ୟୁରୋ : ବିଜେପି ରାସ୍ତାରେ କେଜ୍ରିୱାଲ । ଦେଶରେ ଥିବା ଅନେକ ମୁଖ୍ୟ ପ୍ରସଙ୍ଗ ଠାରୁ ନିଜକୁ ଦୂରେଇ ଏବେ ପୁଣି ଏକ ଅନ୍ଧବିଶ୍ୱାସ ଭଳି ପ୍ରସଙ୍ଗ ଉପରେ ରାଜନୀତି ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଦେଶରେ ଦରବୃଦ୍ଧି, ବେକାରୀ ସମସ୍ୟା, ଶିକ୍ଷାର ମୂଲ୍ୟବୃଦ୍ଧି ଭଳି ପ୍ରସଙ୍ଗରେ ଦେଶବାସୀ ଆଉଟପାଉଟୁ ହେଉଥିବା ବେଳେ କେଜ୍ରିୱାଲଙ୍କ ଭଳି ଜଣେ ଶିକ୍ଷିତ ବ୍ୟକ୍ତି ଟଙ୍କା ବା ଭାରତୀୟ ମୁଦ୍ରା ଉପରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ।
ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି କି ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋଚିତ୍ର ରଖାଯାଉ । ସେ କହିଛନ୍ତି କି ଆମେ ସମସ୍ତେ ଚାହୁଁଛନ୍ତି ଭାରତ ଏକ ବିକଶିତ ଦେଶ ହେଉ । ଏନେଇ ଆମ ସମସ୍ତଙ୍କ ଅନେକ ପଦକ୍ଷେପ ନେବାକୁ ପଡିବ । ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରୁଛନ୍ତି । ଏଣୁ ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆବେଦନ କରୁଛି କି ଭାରତୀୟ ମୁଦ୍ରାର ଗୋଟିଏ ପାଶ୍ୱର୍ରେ ମହାତ୍ମାଗାନ୍ଧୀଙ୍କ ଫଟୋ ଯେଭଳି ରହୁଛି ତାର ଅନ୍ୟ ପାଶ୍ୱର୍ରେ ଲକ୍ଷ୍ମୀ ଓ ଗଣେଷଙ୍କ ଫଟୋ ରଖାଯାଉ ବୋଲି ସେ କହିଛନ୍ତି । ଏହା ଫଳରେ ସାରା ଭାରତର ଲୋକଙ୍କୁ ବିଦ୍ୟାର ଦେବତା ଗଣେଷ ଓ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କ ଆର୍ଶିବାଦ ମିଳିବ ।
ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ଏହା ସମସ୍ତ ନୋଟ ପାଇଁ ବ୍ୟବହାର କରାନଯାଇ କେବଳ ଯେଉଁ ନୂଆ ନୋଟ୍ ଛପା ଯାଉଛି ସେହି କ୍ଷେତ୍ରରେ ବ୍ୟବହାର କରାଯାଉ । ଏହାର ଉଦାହରଣ ଭାବେ ସେ ଇଣ୍ଡୋନେସିଆକୁ ନେଇଛନ୍ତି । ସେ କହିଛନ୍ତି କି, ଇଣ୍ଡୋନେସିଆରେ କେବଳ ୮୫ ପ୍ରତିଶତ ମୁସଲମାନ ବାସ କରୁଛନ୍ତି ଓ ୨ ପ୍ରତିଶତ ହିନ୍ଦୁ । ହେଲେ ସେମାନେ ସେମାନଙ୍କ ମୁଦ୍ରାରେ ଗଣେଷଙ୍କ ଫଟୋ ରଖିଛନ୍ତି ।