ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ: ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ ଅରବିନ୍ଦ କେଜ୍ରିୱାଲ

116

କନକ ବ୍ୟୁରୋ: ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଆଜିଠୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ତିହାର ଜେଲ୍ରେ ରହିବେ । ଏନେଇ ଜେଲ୍ ପକ୍ଷରୁ ବ୍ୟବସ୍ଥା ଆରମ୍ଭ ହୋଇଛି । ତିହାରର ୨ ନମ୍ବର ଜେଲରେ ୨୪ ଘଂଟିଆ ସିସିଟିଭି ନଜରରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସପ୍ତାହକୁ ୨ ଥର ଅରବିନ୍ଦଙ୍କୁ ଭେଟିପାରିବେ ପରିବାର ଲୋକେ । ତେବେ ଆଜି ଜେଲ୍ ଯିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ମୋଦୀ ଯାହା କରୁଛନ୍ତି ତାହା ଦେଶ ପାଇଁ ଠିକ୍ ନୁହେଁ ବୋଲି କହିଛନ୍ତି ଅରବିନ୍ଦ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ରିମାଣ୍ଡ ସରିବା ପରେ ବିଭାଗୀୟ ହାଜତକୁ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜିଠୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ କେଜ୍ରିୱାଲ । ଜେରା ସମୟରେ କେଜ୍ରିୱାଲ ସହଯୋଗ କରୁଥିବା କାରଣରୁ ଆହୁରି ୧୫ ଦିନ ହେପାଜତରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲେ । ଇଡିର ଅନୁମତି ଦେବା ସହ କୋର୍ଟ ଏପ୍ରିଲ ୧୫ ତାରିଖ ଯାଏଁ ଜେଲ୍ ପଠାଇ ଦେଇଛନ୍ତି । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠିକଣା ତିହାର୍ ଜେଲ୍ ।

ଅରବିନ୍ଦ କେଜ୍ରିୱାଲଙ୍କ ଠିକଣା
ଜେଲ୍ ନମ୍ବର-୨, ତିହାର୍
ତିହାର’ର ଦୁଇ ନମ୍ବର ଜେଲରେ ଏକୁଟିଆ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅବକାରୀ ଦୁର୍ନୀତି ମାମଲାରେ କୋର୍ଟ, ଇଡିର ଆବେଦନକୁ ଗ୍ରହଣ କରିବା ସହ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ତିହାର ଜେଲରେ ସୂଚୀ
– ସକାଳ ୬.୩୦ରେ କେଜ୍ରିୱାଲଙ୍କୁ ମିଳିବ ଚା’ ଜଳଖିଆ
– ୧୦.୩୦ରୁ ୧୧ ଟା ଭିତରେ ମଧ୍ୟାହ୍ନ ଭୋଜନ ମିଳିବ
– ୩.୩୦ରେ ଅପରାହ୍ଣ ଜଳଖିଆରେ ଚା’ ଓ ବିସ୍କୁଟ ମିଳିବ
– ୪ଟାରେ ନିଜ ଓକିଲଙ୍କୁ ଦେଖା କରିବେ
– ୭ଟାରେ ରାତ୍ରୀ ଭୋଜନ ପରେ ନିଜ ସେଲକୁ ଯିବେ
କିଛି ଏଭଳି ସୂଚୀ ଭିତରେ ରହିବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ତିହାର ଜେଲ୍କୁ ଯିବା ପୂର୍ବରୁ ଜେଲ୍ ପ୍ରଶାସନକୁ କିଛି ଅନୁରୋଧ କରିଛନ୍ତି କେଜ୍ରିୱାଲ ।
ପଢ଼ିବାକୁ ବହି
-ଶ୍ରୀମଦ ଭାଗବତ ଗୀତା, ରାମାୟଣ ଏବଂ ହାଓ ପ୍ରାଇମିନିଷ୍ଟର ଡିସାଇଡ ପୁସ୍ତକ
ପିନ୍ଧିଥିବାକୁ ଲକେଟ୍
– ଏକ ଧାର୍ମିକ ଲକେଟ ରଖିବାକୁ ଅନୁମତି
ସ୍ୱାସ୍ଥ୍ୟ ପାଇଁ ଔଷଧ
– ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ କରୁଥିବା ଔଷଧ
ସେଲରେ ସୁବିଧା
– ଜେଲ ସେଲରେ ଗୋଟିଏ ଟେବୁଲ ଓ ଚେୟାର
ଏହି ସୁବିଧା ବାହାରେ ସପ୍ତାହକୁ ଦୁଇଥର ସର୍ମ୍ପକୀୟଙ୍କୁ ଭେଟି ପାରିବେ କେଜ୍ରିୱାଲ । ଖେଳ, ମନୋରଂଜନ ଓ ନ୍ୟୁଜ ଚ୍ୟାନେଲ ଦେଖପାରିବେ । ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ୩ ଜଣ ନେତାଙ୍କୁ ଗିରଫ କରାଯାଇ ତିହାର ଜେଲରେ ରଖାଯାଇଛି । ସାଉଥ୍ ସିଣ୍ଡିକେଟ୍ ଲିଙ୍କ୍ରେ ବିଆରଏସ୍ ନେତ୍ରୀ କେ.କବିତାକୁ ମଧ୍ୟ ବାନ୍ଧିଛି ଇଡି

ଜେଲ୍ ନମ୍ବର-୧
ମନିଷ ସିସୋଦିଆ
ଜେଲ୍ ନମ୍ବର-୫
ସଂଜୟ ସିଂ
ଜେଲ ନମ୍ବର-୬
କେ. କବିତା
ଜେଲ ନମ୍ବର-୭
ସତ୍ୟେନ୍ଦ୍ର ଜୈନ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଗିରଫ କରାଯାଇଥିଲା । ୨୮ ମାର୍ଚ୍ଚ ଯାଏ ସେ ରିମାଣ୍ଡରେ ରହିଥିଲେ । ପରେ ଏପ୍ରିଲ ୧ ଯାଏ ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଅନୁମତି ଦେଇଥିଲେ କୋର୍ଟ । ତେବେ ଆଜି ଜେଲ୍ ଯିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ମୋଦୀ ଯାହା କରୁଛନ୍ତି ତାହା ଦେଶ ପାଇଁ ଠିକ୍ ନୁହେଁ ବୋଲି କହିଛନ୍ତି ଅରବିନ୍ଦ ।