ଆଇପିଏଲ ଟକ୍କର: ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ-ଆରସିବି, କିଏ କାହା ଉପରେ ପଡ଼ିବ ଭାରି?

Advertisment
ଆଇପିଏଲ ଟକ୍କର: ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ-ଆରସିବି, କିଏ କାହା ଉପରେ ପଡ଼ିବ ଭାରି?

କନକ ବ୍ୟୁରୋ: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଚଳିତ ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ଉଭୟ ଦଳ ଅହମଦାବାଦ ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳିବେ । ସମାନ ସ୍ଥିତିରେ ଥିବା ଏହି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଶ୍ବାସ କରାଯାଉଛି । ଉଭୟ ଦଳ ଅଦ୍ୟାବଧି ୫ ଲେଖାଏଁ ମ୍ୟାଚ୍‌ ଖେଳି ୪ ଲେଖାଏଁ ଜିତି ସମାନ ୮ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି। ତେବେ ନିଜ ନିଜ ପୂର୍ବ ମ୍ୟାଚ୍‌ରେ ଉଭୟ ଦଳ ପାଲଟା ଫଳ ପାଇଛନ୍ତି । ବିରାଟ କୋହଲିଙ୍କ ଦଳ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ନିକଟରୁ ଶୋଚନୀୟ ପରାଜୟ ବରଣ କରିଥିଲା। ଋଷଭ ପନ୍ତଙ୍କ ଦଳ କିନ୍ତୁ ଚେନ୍ନାଇର ଶେଷ ମୁକାବିଲାରେ ସୁପର୍‌ ଓଭରରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଥିଲା।

ଆର୍‌ସିବି ପାଇଁ ମଧ୍ୟକ୍ରମ ବ୍ୟାଟିଂ ଏକମାତ୍ର ଚିନ୍ତାର କାରଣ ରହିଛି । ଦଳ ପ୍ରାରମ୍ଭିକ ଯୋଡ଼ି ଦେବଦତ୍ତ ପଡ଼ିକଲ୍ ଏବଂ ବିରାଟ କୋହଲି ଭଲ ଆରମ୍ଭ ଦେଉଛନ୍ତି । ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ଏବି ଡି’ଭିଲିୟର୍ସ ମଧ୍ୟ ରନ୍‌ ସଂଗ୍ରହରେ ରହିଛନ୍ତି । ଅଲରାଉଣ୍ଡର୍‌ ୱାସିଂଟନ୍ ସୁନ୍ଦର କିନ୍ତୁ ନିରାଶ କରିଛନ୍ତି । ବୋଲିଂରେ ପର୍ପଲ୍ କ୍ୟାପ୍‌ଧାରୀ ହର୍ଷଲ ପଟେଲ୍‌ ସୋମବାର ମୁକାବିଲାକୁ ଛାଡ଼ିଦେଲେ ପ୍ରଭାବୀ ରହିଛନ୍ତି । ରବୀନ୍ଦ୍ର ଜାଡେଜା ତାଙ୍କ ଗୋଟିଏ ଓଭରରୁ ୩୭ ରନ୍‌ ଆଦାୟ କରିବା ପରେ ହର୍ଷଲଙ୍କ ମନୋବଳ ଉଚ୍ଚା ରଖିବାକୁ ଏହି ମ୍ୟାଚ୍‌ରେ ଭଲ କରିବାର ଆବଶ୍ୟକତା ପଡ଼ିବ । ଭଲ ବ୍ୟାଟିଂ କରୁଥିବା ଦିଲ୍ଲୀ ବିପକ୍ଷରେ କିନ୍ତୁ ମହମ୍ମଦ ସିରାଜ, କାଇଲ୍ ଜାମିସନ୍‌, ୟୁଝବେନ୍ଦ୍ର ଚହଲ, ୱାସିଂଟନ୍‌ ସୁନ୍ଦରଙ୍କୁ ଟାଇଟ୍ ବୋଲିଂ କରିବାକୁ ପଡ଼ିବ। ସ୍ପିନରଙ୍କ ପିଚ୍‌ ଭାବେ ପରିଚିତ ମୋଟେରା ମ୍ୟାଚ୍‌ ଲାଗି ଆର୍‌ସିବି ମଧ୍ୟ ନଭଦୀପ ସ‌ୈନି କିମ୍ବା ଡାନ କ୍ରିଷ୍ଟିଆନଙ୍କ ବଦଳରେ ସହାବାଜ ଅହମ୍ମଦଙ୍କୁ ପୁଣି ଚୂଡ଼ାନ୍ତ ଏକାଦଶକୁ ଆଣିବାକୁ ପଡ଼ିପାରେ।

ଦିଲ୍ଲୀ ପାଇଁ ମଧ୍ୟ ଏହାର ପ୍ରାରମ୍ଭିକ ଯୋଡ଼ି ଶିଖର ଧାୱନ ଓ ପୃଥ୍ବୀ ସ’ ଭଲ ଖେଳି ଆସିଛନ୍ତି। ଏହାକୁ ଉଭୟ ମଙ୍ଗଳବାର ମ୍ୟାଚ୍‌ରେ ମଧ୍ୟ ଜାରି ରଖିବାକୁ ଚାହିଁବେ। ମଧ୍ୟକ୍ରମରେ ଦଳ କିନ୍ତୁ ଅଧିନାୟକ ଋଷଭ ପନ୍ତ୍, ଷ୍ଟିଭେନ୍ ସ୍ମିଥ୍‌, ମାର୍କସ ଷ୍ଟୋଇନିସ୍‌, ସିମ୍ରନ ହେଟମେୟରଙ୍କଠାରୁ ଅଧିକ ଉନ୍ନତ ପ୍ରଦର୍ଶନ ଆଶା ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ। ରବିଚନ୍ଦ୍ରନ ଆଶ୍ବିନ୍‌ କୋଭିଡ୍‌ ପରିସ୍ଥିତିରେ ପରିବାରକୁ ସହାୟତା ଲାଗି ଓହରି ଯାଇଥିବାରୁ ତାଙ୍କ ସେବାରୁ ବଞ୍ଚିତ ରହିବ ଦିଲ୍ଲୀ। ତେବେ ଅମିତ ମିଶ୍ର ଓ ଅକ୍ଷର ପଟେଲଙ୍କ ସଫଳ ପ୍ରତ୍ୟାବର୍ତନ ପରେ ଦିଲ୍ଲୀର ସ୍ପିନ୍‌ ବିଭାଗ ଚାପରେ ରହିବ ନାହିଁ। ଅଭେସ୍‌ ଖାନ୍‌ ମଧ୍ୟ ୧୧ ୱିକେଟ୍ ସହ ପ୍ରଭାବୀ ରହିଛନ୍ତି ଏବଂ କାଗିସୋ ରବାଦା ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରଖିଛନ୍ତି। ଅଶ୍ବିନଙ୍କ ବଦଳରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଅଫସ୍ପିନ୍‌ ଅଲରାଉଣ୍ଡର୍‌ ଲଳିତ ଯାଦବଙ୍କୁ ଖେଳାଇବା କଥା ବିଚାର କରୁଛି।

ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ: ଋଷବ ପନ୍ତ୍ (ଅଧିନାୟକ ଓ ୱିକେଟ୍‌ ରକ୍ଷକ), ଶିଖର ଧାୱନ, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ସିମ୍ରନ୍ ହେଟମେୟର୍‌, ମାର୍କସ ଷ୍ଟୋଇନିସ୍, କ୍ରିସ୍‌ ୱକ୍ସ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଈଶାନ୍ତ ଶର୍ମା, ଆଭେସ୍‌ ଖାନ୍‌, ଷ୍ଟିଭ୍‌ ସ୍ମିଥ୍‌, ଉମେଶ ଯାଦବ, ରିପଲ୍‌ ପଟେଲ୍‌, ବିଷ୍ଣୁ ବିନୋଦ, ଲୁକମାନ୍‌ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କରନ୍‌, ସାମ୍‌ ବିଲିଙ୍ଗ୍ସ।

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଦଳ: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡ଼ିକଲ, କେନ୍‌ ୱିଲିୟମସନ୍‌, ମହମ୍ମଦ ସିରାଜ, ନଭଦୀପ ସୈନି, ସାହାବାଜ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ହର୍ଷଲ ପଟେଲ୍‌, ଗ୍ଲେନ ମ୍ୟାକ୍ସୱେଲ, କାଏଲ୍ ଜାମିସନ୍‌, ଡାନ୍ କ୍ରିଷ୍ଟିଆନ୍‌, ସୂୟାଂଶ ପ୍ରଭୂଦେଶାଇ, କେଏସ୍ ଭାରତ, ଫିନ୍‌ ଆଲେନ୍‌, ପବନ ଦେଶପାଣ୍ଡେ, ଡାନିଏଲ୍ ସାମ୍ସ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe