ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ପୁଣି ପଶିଲା କରୋନା । ଚେନ୍ନାଇ ବିପକ୍ଷ ମ୍ୟାଚ୍ ପୂର୍ବରୁ ଜଣେ ସଦସ୍ୟ କରୋନାରେ ସଂକ୍ରମିତ ।

166

କନକ ବ୍ୟୁରୋ : ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ପୁଣି ପଶିଲା କରୋନା । ଦିଲ୍ଲୀ ଟିମର ଜଣେ ନେଟ ବୋଲର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଯେଉଁଥିପାଇଁ ଦିଲ୍ଲୀର ଖେଳାଳୀଙ୍କୁ ହୋଟେଲ ରୁମରେ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଖେଳାଳୀଙ୍କର ଆରଟିପିସିଆର ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ଉପରେ ନଜର ରହିଛି ।

ଦିଲ୍ଳୀ କ୍ୟାପିଟାଲ୍ସ ଆଜି ଚେନ୍ନାଇ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ । ତେଣୁ ଏହାପୂର୍ବରୁ ସମସ୍ତ ଖେଳାଳୀ ଓ ଷ୍ଟାଫଙ୍କ କରୋନା ଟେଷ୍ଟ କରାଯାଇଥିଲା । ଆଉ ଏହି ଟେଷ୍ଟରେ ଜଣେ ନେଟ୍ ବୋଲର କରୋନା ସଂକ୍ରମିତ ଥିବା ଜାଣିବାକୁ ମିଳିଛି । ଏହାପୂର୍ବରୁ ଗତ ୨୦ ଏପ୍ରିଲରେ ମଧ୍ୟ ଦିଲ୍ଲୀ କ୍ୟାମ୍ପରେ କରୋନା ଏଣ୍ଟ୍ରି କରିଥିଲା । ଦଳର ୭ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ଦଳର କୋଚ୍ ରିକି ପଣ୍ଟିଂକୁ ସଙ୍ଗରୋଧରେ ରହିବାକୁ ପଡିଥିଲା । ପୂର୍ବରୁ ସଂକ୍ରମିତ ହୋଇଥିବା ସମସ୍ତ ସଦସ୍ୟ କରୋନାରୁ ସୁସ୍ଥ ହୋଇ ସାରିଥିବା ବେଳେ ଏବେ ପୁଣିଥରେ ଦିଲ୍ଲୀ କ୍ୟାମ୍ପରେ କରୋନା ପଶିବା ଦଳର ଚିନ୍ତାକୁ ବଢାଇ ଦେଇଛି ।

ଏସବୁ ଭିତରେ ଚଳିତ ଆଇପିଏଲରେ ଦିଲ୍ଲୀ ଏଯାବତ୍ ୧୦ଟି ମ୍ୟାଚ୍ ଖେଳିଥିବା ବେଳେ ୫ ବିଜୟ ସହ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି । ତେଣୁ ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ହେଲେ ଦିଲ୍ଲୀ ଟିମକୁ ବଳକା ୪ଟି ମ୍ୟାଚରୁ ୪ଟିରେ ବିଜୟୀ ହେବାକୁ ପଡିବ ।