ଆଜି ଆଇପିଏଲ କ୍ୱାଲିଫାୟର-୨ : ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଟକ୍କର

Advertisment
ଆଜି ଆଇପିଏଲ କ୍ୱାଲିଫାୟର-୨ : ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଟକ୍କର

କନକ ବ୍ୟୁରୋ : ଆଜି ଚଳିତ ଆଇପିଏଲ୍ର ଦ୍ୱିତୀୟ କ୍ୱାଲିଫାୟାର । ଦ୍ବିତୀୟ କ୍ବାଲିଫାୟାର୍‌ରେ ଲିଗ୍ ବିଜେତା ଦିଲ୍ଲୀ କ୍ୟାପିଟାଲ୍ସ ସହିତ ୨ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସର ମୁକାବିଲାରୁ ଏହା ସ୍ପଷ୍ଟ ହେବ । ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ କାଟିବା କୋଲକାତା ପାଇଁ କାଠିକର ପାଠ ହୋଇଥିଲେ ମଧ୍ୟ ପୁନଃଶକ୍ତିସମ୍ପନ୍ନ ଇଅନ୍ ମୋର୍ଗାନଙ୍କ ଦଳ ଏବେ କଠୋର ପ୍ରତିଦ୍ବନ୍ଦ୍ବୀ ପାଲଟିଛି । ପ୍ରଥମ ଚରଣରେ ଭାରତରେ ଅତି ଖରାପ ଖେଳିଥିଲେ ମଧ୍ୟ କୋଲକାତା ୟୁଏଇରେ ପହଞ୍ଚିବା ପରେ ଭାଗ୍ୟକୁ ଉତ୍‌ଥାନ ପଥରେ ରଖିଛି। ବିଗତ ୮ ମ୍ୟାଚ୍‌ରୁ କୋଲକାତା ୬ଟି ଜିତି ଏବେ ଫାଇନାଲ୍ ପହଞ୍ଚବାକୁ ଗୋଟିଏ ବିଜୟ ଦୂରରେ ରହିଛି ।

ଅନ୍ୟପକ୍ଷରେ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମରୁ ଏହାର ଚୂଡାନ୍ତ ଏକାଦଶକୁ ଧାର୍ଯ୍ୟ ରଖି ଚମତ୍କାର ଖେଳି ଆସିଛି। କେବଳ ବାଧ୍ୟବାଧକତା ପରିସ୍ଥିତିରେ ଏହାକୁ ଖେଳାଳି ବଦଳାଇବାକୁ ପଡ଼ିଛି । ଦଳର ନିର୍ଭରଯୋଗ୍ୟ ଅଲ୍‌ରାଉଣ୍ଡର୍‌ ମାର୍କସ ଷ୍ଟୋଇନିସ୍ ୫ ମ୍ୟାଚ୍‌ ଖେଳିନଥିଲେ ମଧ୍ୟ ଦିଲ୍ଲୀ ଶୀର୍ଷରେ ଲିଗ୍‌ ଶେଷ କରିଥିଲା । ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷ ପରାଜୟ ଦଳର ଦୁର୍ବଳତାକୁ ପଦାରେ ପକାଇଛି। ମାର୍କସ ଷ୍ଟୋଇନିସ୍‌ଙ୍କ ଅଭାବକୁ ଅନୁଭବ କରାଇଛି । ରବିଚନ୍ଦ୍ରନ ଅଶ୍ବିନଙ୍କ ବୋଲିଂ ଫର୍ମ ଦଳ ପାଇଁ ଏକମାତ୍ର ଚିନ୍ତାର କାରଣ ହୋଇଛି ।

ସାରଜାରେ ଚଳିତ ଋତୁରେ ୭ଟି ମ୍ୟାଚ୍‌ରୁ ୫ଟିରେ ପଛ ବ୍ୟାଟିଂ ଦଳ ଜିତିଛି। ଚଳିତ ଋତୁରେ ଦିଲ୍ଲୀର ୫ ପରାଜୟ ମଧ୍ୟରୁ ୪ଟି ପ୍ରଥମେ ବ୍ୟାଟିଂ କରିବାବେଳେ ବରଣ କରିଛି। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ୟୁଏଇରେ ସମସ୍ତ ୫ ପଶ୍ଚାତଧାବନ ମ୍ୟାଚ୍‌ ଜିତିଛି। ତେଣୁକରି ଉଭୟ ଦଳ ଟସ୍ ଜିତି କ୍ଷେତ୍ରରକ୍ଷଣ କଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆନ୍ଦ୍ରେ ରସେଲ୍‌ ଫିଟ୍ ହୋଇ ଆସୁଥିଲେ ମଧ୍ୟ କୋଲକାତା ଏବେ ସକିବ୍ ଅଲ ହାସନ୍‌ଙ୍କୁ ବସାଇ ତାଙ୍କୁ ‌ଖେଳାଇବା ସପକ୍ଷରେ ନାହିଁ । ଦିଲ୍ଲୀ କ୍ୟାପିଟାଲ୍ସ କିନ୍ତୁ ଆଶା ରଖିଛି ଯଦି ତାଙ୍କ ଓଭରସିଜ୍ ଖେଳାଳି ମାର୍କସ ଷ୍ଟୋଇନିସ୍ ଉପଲବ୍ଧ ହେବେ ତେବେ ଟମ୍ କରନଙ୍କ ବଦଳରେ‌ ଖେଳିବେ । ସାରାଜ ପିଚ୍‌ ଷ୍ଟିଭେନ୍ ସ୍ମିଥଙ୍କ ବ୍ୟାଟିଂକୁ ସୁହାଇବା ସମ୍ଭାବନା ଥିବାରୁ ପ୍ରଶିକ୍ଷକ ରିକି ପଣ୍ଟିଂ ମଧ୍ୟ ତାଙ୍କୁ ଆଉ ଥରେ ସୁଯୋଗ ଦେବା ବିଚାର କରୁଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭାବ୍ୟ ଏକାଦଶ: ପୃଥ୍ବୀ ସ’, ଶିଖର ଧାୱନ, ଶ୍ରେୟସ ଆୟର୍, ଋଷଭ ପନ୍ତ୍‌ (ଅଧିନାୟକ ଓ ୱିକେଟରକ୍ଷକ), ସିମ୍ରନ ହେଟମାୟର୍‌, ମାର୍କସ ଷ୍ଟୋଇନିସ୍/ଟମ୍ କରନ୍‌, ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ବିନ୍‌, କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଅଭେସ୍ ଖାନ୍‌।

କୋଲକାତା ନାଇଟ୍ ରାଇଡର୍ସ ସମ୍ଭାବ୍ୟ ଏକାଦଶ: ଶୁବମନ ଗିଲ୍‌, ଭେଙ୍କଟେଶ ଆୟର୍, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଦୀନେଶ କାର୍ତିକ (ୱିକେଟରକ୍ଷକ), ଇଅନ୍ ମୋର୍ଗାନ୍ (ଅଧିନାୟକ), ସକିବ୍ ଅଲ୍ ହାସନ୍, ସୁନିଲ ନାରାୟଣ, ଲୁକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ଶିଭମ ମାଭି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe