ଦିଲ୍ଲୀରେ ଜଳିଲା ନାଗରିକତା ଆଇନର ନିଆଁ । ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ଜଣେ ପୁଲିସ କନେଷ୍ଟବଳ ସହ ୫ ମୃତ, ୫୦ରୁ ଅଧିକ ଆହତ

199

କନକ ବ୍ୟୁରୋ : ଉତର ପୂର୍ବ ଦିଲ୍ଲୀର ମୌଜାପୁରରେ ନାଗରିକତା ସଂଶୋଧନ ଆଇନ ବିରୋଧଦକୁ ନେଇ ହିଂସାକାଣ୍ଡ ଘଟିଛି । ଆଉ ଏହି ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି ଓ ୫୦ରୁ ଅଧିକ ଆହତ ହୋଇଛନ୍ତି । ସିଏଏ ବିରୋଧୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିବା ବେଳେ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣେ ପୁଲିସ କର୍ମଚାରୀଙ୍କ ସହ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜାଫରାବାଗ ଠାରୁ ଚାନ୍ଦବାଦ ଓ କରୱାଲ ନଗର ଅଂଚଳରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଓ ସପକ୍ଷରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରେ ସ୍ଥିତି ବିଗିଡିବାକୁ ଲାଗିଥିଲା ଏବଂ ଉଭୟଗୋଷ୍ଠୀ ପରସ୍ପର ଉପରେ ଟେକା, ପଥର ମାଡ କରିଥିଲେ । ଏହି ସମୟରେ ଗୁଳି ଚାଳନା ମଧ୍ୟ ହୋଇଥିବା ଜଣାପଡିଛି ।

୩ରୁ ୪ଘଂଟା ଧରି ହିଂସା ପ୍ରଦର୍ଶନ ଚାଲିଥିଲା । ଏପରିକି ପୋଲିସ ଉପରକୁ ପଥର ମାଡ କରିବା ସହ ୧୦ଟି ଗାଡିରେ ନିଆଁ ଲଗାଇଦେଇଥିଲେ ଆନ୍ଦୋଳନକାରୀ । ସେପଟେ ଚାନ୍ଦବାଗ ଅଂଚଳରେ ବିକ୍ଷୋଭ ବେଳେ ବିକ୍ଷୋଭକାରୀ କେତେକ ଗାଡିରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ଏହି ସମୟରେ ହୋଇଥିବା ଗୁଳି ମାଡରେ ଜଣେ କନଷ୍ଟେବଳଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଜଣେ ଡିସିପି ଆହତ ହୋଇଛନ୍ତି । ହିଂସାକାଣ୍ଡ ଘଟିଥିବା ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ସେପଟେ ସ୍ଥିତିର ସମୀକ୍ଷା କରାଯାଉଥିବା ସହ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ପୋଲିସ ଓ ଦିଲ୍ଲୀ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ । ଏହାସହ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତଙ୍କୁ ସେ ନିବେଦନ କରିଛନ୍ତି ।