ଅଣାୟତ ହେଉଛି ଦିଲ୍ଲୀ ହିଂସା । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ସଂଘର୍ଷରେ ଗଲାଣି ୧୭ ଜୀବନ, ୨୦୦ରୁ ଅଧିକ ଆହତ :ଦିଲ୍ଲୀ ହାଇକୋର୍ଟରେ ରାତି ଅଧିଆ ହେଲା ଶୁଣାଣୀ

249

କନକ ବ୍ୟୁରୋ : ଦିଲ୍ଲୀରେ ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧରେ ନିଆଁ । ଗତକାଲି ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଦିଲ୍ଲୀରେ ହିଂସାକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ହିଂସାକାଣ୍ଡକୁ ନିୟନ୍ତ୍ରଣକୁ ଆଣିବାକୁ ଦଙ୍ଗା ସୃଷ୍ଟିକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଏହି ହିଂସାକାଣ୍ଡରେ ୫୬ ପୋଲିସକର୍ମଚାରୀଙ୍କ ସହ ପ୍ରାୟ ୨୦୦ରୁ ଅଧିକ ସାଧାରଣ ଜନତା ଆହତ ହୋଇଛନ୍ତି । ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ରାତିଅଧିଆ ଶୁଣାଣୀ ହୋଇଛି ।

ବିଚାରପତି ଏସ୍. ମୁରଲୀଧରଙ୍କ ବାସଭବନରେ ବିଳମ୍ବିତ ରାତିରେ ଏହି ଶୁଣାଣୀ ହୋଇଛି । ଉତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ନେଇ ଦିଲ୍ଲୀ ପୋଲିସକୁ ଷ୍ଟାଟସ ରିପୋର୍ଟ ତଲବ କରିଛନ୍ତି କୋର୍ଟ । ଏହାସହ ହିଂସା ବେଳେ ଆହତଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହିଂସା ବେଳେ ଆହତ ମାନେ ଚିକିତ୍ସା ପାଇଁ ମୁସ୍ତାଫାବାଦରୁ ଜିଟିବି ହସ୍ପିଟାଲକୁ ଯାଉ ପାରୁନଥିବା ଦର୍ଶାଇ ଆଇନଜୀବୀ ସରୁର ମଣ୍ଡେର ହାଇକୋର୍ଟରେ ଆବେଦନ କରିଥିଲେ । ଏନେଇ ଆଜି ମଧ୍ୟ ଶୁଣାଣୀ ହେବ । ଉତର ପୂର୍ବ ଦିଲ୍ଲୀରେ ଉତେଜନା ଅତି ଉଗ୍ର ରୂପ ଧାରଣ କରିବା ପରେ ଜାଫରାବାଦ, ମୌଜପୁର, ବାବରପୁର ଓ ଚାନ୍ଦ ବାଗରେ କର୍ଫ୍ୟୁ ଲାଗୁ ହୋଇଛି ।

ଉତରପୂର୍ବ ଦିଲ୍ଲୀରେ ପୁରା ଏକମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । ସେହିପରି ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦେଇଛି ସିବିଏସଇ । ଆଇପିଏସ ଏସଏନ ଶ୍ରୀବାସ୍ତବଙ୍କୁ ଆଇନ ଶୃଂଖଳା ରକ୍ଷାର ସ୍ୱତନ୍ତ୍ର କମିଶନର ଭାବେ ନିଯୁକ୍ତ କରାଯାଇଛି । ସେପଟେ ସ୍ଥିତି ନେଇ ଗତକାଲି ୨୪ ଘଂଟା ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତିନି ଥର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ସ୍ଥିତି ପରଖିବା ପାଇଁ ବିଳମ୍ବିତ ରାତି ଯାଏଁ ନିଜ ଗାଡିରେ ବୁଲିବା ସହ ସ୍ଥାନିୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।