କଙ୍ଗନାଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ୍ । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ ସମନ୍ ।

118

କନକ ବ୍ୟୁରୋ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ୍ କରାଯାଇଛି । ଏଥିସହିତ ଆପ୍ ବିଧାୟକ ରାଘବ ଚଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ୍ କମିଟି କଙ୍ଗନାଙ୍କୁ ଡିସେମ୍ବର ୬ ତାରିଖ ୧୨ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ତେବେ କଙ୍ଗନା ରଣୱତ କୃଷି ଆଇନ୍ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ତୁଳନା ଖଲିସ୍ତାନୀ ଆନ୍ଦୋଳନ ସହ କରିଥିଲେ । ଯାହା ପରେ ତାଙ୍କ ବିରୋଧରେ ଦେଶର ବିଭିନ୍ନ ଥାନାରେ ଏଫଆଇଆର୍ ଦାୟର ହୋଇଥିଲା ।

ଏହି କ୍ରମରେ ଦିଲ୍ଲୀ ଶିଖ ଗୁରୁଦ୍ୱାରର ପ୍ରବନ୍ଧକ ସମିତି କଙ୍ଗନାଙ୍କ ଏପରି ଆପତ୍ତିଜନକ ମନ୍ତବ୍ୟକୁ ନେଇ ସାଇବର ଥାନାରେ ନିଜର ଅଭିଯୋଗ ଦାଖଲ କରିଥିଲା । ତତ୍ ସହିତ ବିଧାନସଭା ସମିତିର କହିବା କଥା, ସୋଶିଆଲ୍ ମିଡିଆରେ କଙ୍ଗନା ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଖଲିସ୍ତାନୀ ଆନ୍ଦୋଳନ ସହିତ ତୁଳନା କରିଛନ୍ତି । ଏହା ସହିତ ଶିଖ ସମୁଦାୟ ପ୍ରତି ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଛନ୍ତି । ଯେଉଁଥିପାଇଁ ତାଙ୍କ ବିରୋଧରେ ଏହି ସମନ ଜାରି କରାଯାଇଛି ।

କଙ୍ଗନା ନିଜର ଏହି ବିବାଦୀୟ ପୋଷ୍ଟରେ ଲେଖିଥିଲେ, ଖାଲିସ୍ତାନୀ ଆତଙ୍କବାଦୀ ହୁଏତ ଆଜି ସରକାରଙ୍କ ହାତ ମୋଡି ଦେଉଛନ୍ତି, କିନ୍ତୁ ସେହି ମହିଳା (ଇନ୍ଦିରା ଗାନ୍ଧୀ)ଙ୍କୁ ଭୁଲିବା ଉଛିତ୍ ନୁହେଁ, ଯିଏ ଦିନେ ତାଙ୍କୁ ଜୋତା ତଳେ ଚକଟି ଦେଇଥିଲେ । ଆଉ ଦେଶକୁ ଭାଙ୍ଗିବାକୁ ଦେଇନଥିଲେ । ତାଙ୍କର ମୃତ୍ୟୁର ବହୁ ବର୍ଷ ପରେ ବି ତାଙ୍କ ନାଁ ଶୁଣିଲେ କମ୍ପନ ସୃଷ୍ଟି ହୁଏ । ତାଙ୍କୁ ଠିକ୍ ସେମିତି ଗୁରୁ ଦରକାର ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆ କୃଷି ଆଇନ୍ ପ୍ରତ୍ୟାହାର ନେଇ କଙ୍ଗନା ନିରାଶା ବ୍ୟକ୍ତି କରିଥିଲେ । ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ଏହାକୁ ଦୁଃଖଦ, ଲଜ୍ଜାଜନକ ଓ ଭୁଲ ବୋଲି କହିଥିଲେ । ସଂସଦରେ ବସିଥିବା ସାଂସଦଙ୍କୁ ଛାଡି ଗଳିରେ ବସିଥିବା ଲୋକ କାନୁନ ବନେଇବା ଆରମ୍ଭ କରିବେ ତେବେ ସେମାନେ ଜିହାଦୀ ବୋଲି କଙ୍ଗନା ଲେଖିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ କଙ୍ଗନା ରଣୱତ ମହାତ୍ମାଗାନ୍ଧୀଙ୍କ ଅହିଂସା ମନ୍ତ୍ରଙ୍କୁ ନେଇ ମଜାକ୍ ଉଡାଇଥିଲେ । ତା ସହିତ ଆମ ଦେଶକୁ ସ୍ୱାଧୀନତା ସଂଗ୍ରାମ ବଳରେ ନୁହେଁ ବଂର ଭିକ୍ଷାରେ ମିଳିଛି ବୋଲି କହିଥିଲେ । ଯାହାକୁ ନେଇ ଅନେକ ଲୋକ ଅନେକ ଟିପ୍ପଣୀ ଦେବା ସହିତ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।