ଦିଲ୍ଲୀ ବିଧାନସଭା ନିର୍ବାଚନ : ମତଦାନ କଲେ ବୟସ୍କା ଭୋଟର। ହ୍ୱିଲଚେୟାରରେ ଆସି ମତଦାନ ଦେଲେ ୧୧୦ ବର୍ଷର କଲିତାରା ମଣ୍ଡଳ 

86

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା ୬ଟା ଯାଏଁ ଚାଲିବ । ଦିନ ୨ ଟା ସୁଦ୍ଧା ୨୮.୧୪ % ପ୍ରତିଶତ ମତଦାନ ହୋଇଛି । ମତଦାନ କେନ୍ଦ୍ର ଲୋକେ ଧାଡିରେ ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଛି । ମତଦାନ ଚାଲିଥିବାବେଳେ ଦିଲ୍ଲୀର ସବୁଠୁ ବୟସ୍କା ଭୋଟର କଲିତାରା ମଣ୍ଡଲଙ୍କ ଫଟୋ ସାମନାକୁ ଆସିଛି । ତାଙ୍କ ବୟସ ୧୧୦ ବର୍ଷ । ସେ ଦିଲ୍ଲୀର ଗ୍ରେଟର କୈଲାସ ବିଧାନସଭା ଅଞ୍ଚଳର ସିଆର ପାର୍କରେ ରୁହନ୍ତି । ଠିକ୍ ଭାବେ ଚଲାବୁଲା କରିପାରୁନଥିବା ସତ୍ବେ ମଧ୍ୟ ସେ ଭୋଟ୍ ଦେବାକୁ ପହଞ୍ଚିଥିଲେ । ଭୋଟ ଦେବା ପରେ ସେ କହିଛନ୍ତି ଯେ ଯେବେଠୁ ତାଙ୍କୁ ଭୋଟ ପରିଚୟ ପତ୍ର ମିଳିଛି ସେ ଲଗାତାର ଭୋଟ ଦେବାକୁ ଆସିଥାନ୍ତି ।

ସେହିଭଳି ବଦରପୁର ବିଧାନସଭା ଅଞ୍ଚଳରେ ୧୦୮ ବର୍ଷ ବୟସର ସିତାରା ଜୈନ ଭୋଟ ଦେଇଛନ୍ତି । ସେ ତାଙ୍କ ପରିବାର ଲୋକଙ୍କ ସହ ଭୋଟ ଦେବାକୁ ଆସିଥିଲେ । ୧୦୨ ବର୍ଷ ବୟସ୍କା ରାମକଲି ମଧ୍ୟ ନିଜ ନାତି ମନୀଷଙ୍କ ସହ ଭୋଟ ଦେବାକୁ ଆସିଥିଲେ । ସେ କହିଥିଲେ ଯେ ସେ ପ୍ରତ୍ୟେକ ନିର୍ବାଚନରେ ଭୋଟ ଦେବାକୁ ଆସନ୍ତି । ଏହି ନିର୍ବାଚନ ମୁକାବିଲାରେ ଆପ୍, ବିଜେପି ଏବଂ କଂଗ୍ରେସ୍ ମଇଦାନରେ ଅଛନ୍ତି । ଦିଲ୍ଲୀରେ ମୋଟ୍ ୧ କୋଟି ୪୭ ଲକ୍ଷ ଭୋଟର ୧୩ ହଜାର ୭୫୦ ପୁଲିଂ ବୁଥରେ ମତଦାନ କରୁଛନ୍ତି । ୭୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ନିର୍ବାଚନର ଫଳାଫଳ ଫେବୃୟାରୀ ୧୧ତାରିଖରେ ଆସିବ।