ଆଜି ଆସିବ ଦିଲ୍ଲୀ ରାୟ । ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି । ଆଇନଶୃଙ୍ଖଳା ରକ୍ଷା ପାଇଁ ପାରାମିଲିଟାରୀ ଫୋର୍ସ ଓ ପୋଲିସ କର୍ମଚାରୀ ନିୟୋଜିତ । ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ

65

କନକ ବ୍ୟୁରୋ: ଆଜି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି । ବୁଥ ବାହୁଡା ମତ ବା ଏକଜିଟ ପୋଲର ଆକଳନ ଅନୁସାରେ ଦିଲ୍ଲୀରେ ଆପ ବା କେଜ୍ରିୱାଲ ପୁଣି କ୍ଷମତାକୁ ଫେରିବେ ବୋଲି କୁହାଯାଉଥିଲେ ବି ବିଜେପି ପକ୍ଷରୁ ଏକଜିଟ ପୋଲର ଆକଳନ ଭୁଲ ସାବ୍ୟସ୍ତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରାଯାଇଛି ।

ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର କହିବା ମୁତାବକ ଆଜି ସକାଳ ୮ଟାରୁ ୨୧ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଗଣନା କରାଯିବାକୁ ଥିବାବେଳେ ୯ ଘଟିକାରୁ ୭୦ଟି ଆସନରେ କିଏ ଆଗୁଆ ଅଛନ୍ତି ଜଣାପଡିବ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ସଠିକ ଓ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି କରିବା ପାଇଁ ସବୁ ବ୍ୟବସ୍ଥା ହୋଇଛି । ୨୧ଟି କେନ୍ଦ୍ରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପାରାମିଲିଟାରୀ ଫୋର୍ସ ଓ ଦିଲ୍ଲୀର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଇଭିଏମର ସୁରକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏଠାରେ ସୂଚନା ଥାଉ କି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୮ ତାରିଖରେ ସମସ୍ତ ୭୦ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଥିଲା । ସମୁଦାୟ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଯାଇଛି। ଦିଲ୍ଲୀରେ ୧.୪୭ କୋଟି ଭୋଟର୍ ଥିବା ବେଳେ ଏଥର ନିର୍ବାଚନରେ ୬୧ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ ।