କନକ ବ୍ୟୁରୋ: ଫେଲ ମାରିଲା କଂଗ୍ରେସର ସବୁ ଚାଲ । ଅନେକ ଉଦ୍ୟମ ପରେ ବି ଏଥର ବି ଖାତା ଖୋଲିନପାରେ କଂଗ୍ରେସ । କାରଣ ବୁଥ ବାହୁଡା ମତରେ ସେଭଳି କୌଣସି ଆଶାଜନକ ମତ ହାତ ସପକ୍ଷରେ ଯାଇନି । ଅର୍ଥାତ ଏଥର ବି ଦିଲ୍ଲୀବାସୀ କଂଗ୍ରେସକୁ ବିଶ୍ୱାସକୁ ନେଇପାରି ନାହାନ୍ତି ।

Advertisment

ଭୋଟ ସରିବା ପରେ ବିଭିନ୍ନ ସଂସ୍ଥା ଦେଇଥିବା ବୁଥ ବାହୁଡା ମତରେ କଂଗ୍ରେସ ଗୋଟିଏ ଦୁଇଟି ଆସନ ଆଣିପାରେ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ଅନେକ ସଂସ୍ଥା ମଧ୍ୟ କଂଗ୍ରେସ ଏଥର ବି ଖାତା ଖୋଲି ପାରିବନି ବୋଲି ଆକଳନ କରିଛନ୍ତି । ତେବେ ନଜର ପକାନ୍ତୁ କେଉଁ ସଂସ୍ଥା କଂଗ୍ରେସ ଉପରେ କେଉଁ ଆକଳନ କରିଛି ।

publive-image

ଟାଇମସ ନାଓ ଏବଂ ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ଆପକୁ ୪୪, ବିଜେପିକୁ ୨୬ ଏବଂ କଂଗ୍ରେସକୁ କୌଣସି ବି ଗୋଟିଏ ଆସନ ମିଳିନପାରେ । ରିପବ୍ଲିକ ଟିଭିର ମତ ଅନୁସାରେ ଆପ ୪୮ରୁ ୬୧ଟି ଆସନ ପାଇବ, ବିଜେପି ୯ରୁ୨୧ ଏବଂ କଂଗ୍ରେସ ଗୋଟିଏ ଆସନ ଅକ୍ତିଆର କରିପାରେ । ସୁଦର୍ଶନ ନ୍ୟୁଜ୍ ଅନୁସାରେ ଆପ- ୪୦-୪୫, ବିଜେପି- ୨୪ରୁ ୨୮, କଂଗ୍ରେସ- ୨ରୁ ୩ । ଟିଭି୯ ଭାରତବର୍ଷ ଅନୁସାରେ ଆପ- ୫୪, ବିଜେପି- ୧୫, କଂଗ୍ରେସ-୧ । ଇଣ୍ଡିଆ ନ୍ୟୁଜ୍ ନେତାର ଆକଳନ ଅନୁସାରେ ଆପ- ୫୩ରୁ ୫୭, ବିଜେପି- ୧୧ରୁ ୧୭ ଏବଂ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିପାରେ ।

ତେବେ ଦିଲ୍ଲୀରେ ୨୦୧୫ରେ କଂଗ୍ରେସ ହାତରୁ କ୍ଷମତା ଛଡାଇ ନେଇଥିଲା ଆପ । ଝାଡୁ ମାରି ଆପ ୬୭ ଆସନ ପୋଛି ନେଇଥିବା ବେଳେ ବିଜେପି ଖାତାରେ ପଡିଥିଲା ମାତ୍ର ୩ଟି ଆସନ । ଆଉ କଂଗ୍ରେସ ଗୋଟିଏ ବି ଜିତି ନପାରି ମାଟି କାମୁଡି ପଡିଥିଲା । ତେବେ ଏଥର କମବ୍ୟାକ କରିବାକୁ ହାତ ଅନେକ କସରତ କରିଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ଆଳକରି ଭୋଟ ମାଗିଥିଲା ।

ସିଏଏ ଭଳି ଜାତୀୟ ପ୍ରସଙ୍ଗକୁ କଂଗ୍ରେସ ମୁଦ୍ଦା କରି ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ବେରୋଜଗାରୀ ପ୍ରସଙ୍ଗକୁ ବଡ ଅସ୍ତ୍ର କରି ମୋଦିଙ୍କୁ ଟାର୍ଗେଟ କରି ଲୋକଙ୍କ ଆସ୍ଥା ଜିତିବାକୁ ଚାହିଁଥିଲା କଂଗ୍ରେସ । ଏପରିକି ସଂଖ୍ୟାଲଘୁ ସଂପ୍ରଦାୟକୁ ନେଇ ମଧ୍ୟ ରାଜନୀତି କରି ଭୋଟ ମାଗିଥିଲା କଂଗ୍ରେସ । ହେଲେ ହାତର ସବୁ ଚାଲ ଫୁସକି ଗଲା ଆଉ ଜନମତ ଅନ୍ୟ ଦଳକୁ ଚାଲିଯାଇଥିବା ବୁଥ ବାହୁଡା ମତ କହୁଛି ।

ତେବେ ଦିଲ୍ଲୀ ଦଖଲ କରିବା କଂଗ୍ରେସ ପାଇଁ ଏକ ବଡ ଆହ୍ୱାନ ଥିବାବେଳେ ସମ୍ମାନର ପ୍ରଶ୍ନ ମଧ୍ୟ ଥିଲା । ଶୀଲା ଦିକ୍ଷୀତଙ୍କ ପରେ ଦିଲ୍ଲୀରେ ସେଭଳି କୌଣସି ଲୋକପ୍ରିୟ ଚେହେରା, ଲୋକପ୍ରିୟ ନେତା ନଥିବାରୁ କଂଗ୍ରେସ ପଛରେ ପଡିଥିବା ରାଜନୈତିକ ପଣ୍ଡିତମାନେ କହୁଥିବା ବେଳେ ବୁଥ ବାହୁଡା ମତ ଆକଳନ କରିଛି କି ଏଥର ବି ମାଟି କାମୁଡି ପଡିପାରେ କଂଗ୍ରେସ ।