ଖସିଲା ୫, ଚଢିଲା ୫: ସରକାର ପାଇଁ ସାପସିଢି ଖେଳରେ ୫ ବର୍ଷରେ ୫ ଅଙ୍କକୁ ନେଇ ଚର୍ଚ୍ଚା । ଆପ ଖାତାରୁ ଖସିଲା ୫ ସିଟ୍, ପଦ୍ମ ପାଖୁଡାରେ ଯୋଡିଲା ୫ ପାଖୁଡା…

455

କନକ ବ୍ୟୁରୋ: କେନ୍ଦ୍ରରେ ବିଜେପି, କେନ୍ଦ୍ରସ୍ଥଳରେ ଆପ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଝାଡୁ ମାରି ପଦ୍ମ ଝଡାଇ ଦେବା ପରେ ବିଜେପିର ସରକାର ଗଠନ ସ୍ୱପ୍ନ ଧୂଳିସାତ ହୋଇଛି । ତେବେ ମୋଦି ସରକାରଙ୍କ ଶାସନ କଳର କେନ୍ଦ୍ର ସ୍ଥଳରେ ମୋଦିଙ୍କୁ ପଛରେ ପକାଇ ଦେଇଛନ୍ତି କେଜ୍ରିୱାଲ । ରାଷ୍ଟ୍ରବାଦକୁ ଆଗରେ ରଖି ବିଜେପିର ରଣନୀତି ଫସର ଫାଟି ଯାଇଛି କେଜ୍ରିୱାଲଙ୍କ ବିକାଶ ମଡେଲ ଆଗରେ । କେବଳ ବିକାଶ ନୁହେଁ ନିର୍ବାଚନୀ ରଣନୀତିରେ ବି ଆପ୍ ଠାରୁ ପଛରେ ପଡ଼ିଯାଇଛି ବିଜେପି ।

କେଜ୍ରିୱାଲଙ୍କ କୁହୁକ ଆଗରେ ମୋଦି ମ୍ୟାଜିକ ପୁସକି ଯାଇଛି ଆଉ ଦିଲ୍ଲୀରେ ଲଗାତାର ତିନି ଆପ ଆସିଛି । ତେବେ ୨୦୧୫ରେ ମୋଟ ୭୦ ଆସନରୁ ଆପକୁ ୬୭, ବିଜେପିକୁ ୩ ମିଳିଥିବା ବେଳେ ୨୦୨୦ରେ ଅର୍ଥାତ ଚଳିତ ନିର୍ବାଚନରେ ଉଭୟଙ୍କ ଖାତାରେ ୫ ଖସିଛି, ୫ ଯୋଡି ହୋଇଛି । ଏଥର ଆପକୁ ୬୨ ସିଟ ମିଳିଥିବା ବେଳେ ପୂର୍ବବର୍ଷ ଠାରୁ ୫ କ୍ଷତିରେ ଅଛି । ସେହିଭଳି ବିଜେପିକୁ ଏଥର ୮ ମିଳିଥିବା ବେଳେ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ୫ ବଢିଛି । ତେଣୁ ଉଭୟଙ୍କ ଖାତାରେ ୫ ମାଇନଓ, ୫ ପ୍ଲସ ହୋଇଛି । ସେପଟେ କଂଗ୍ରେସ ୨୦୦୫ ଭଳି ୨୦୨୦ରେ ବି ଖାତା କୋଲି ପାରିନି ।
ତେବେ କଣ ପାଇଁ ଏଥର ଦିଲ୍ଲୀବାସୀ କେଜ୍ରିଙ୍କୁ ବାଛିଲେ । କାହିଁକି ‘ଆପ୍’କୁ ମିଳିଲା ବିପୁଳ ବିଜୟ? କାହିଁକି ସଫଳତା ପାଇଲେ କେଜ୍ରିୱାଲ? ଦେଶର ହୃଦୟ କୁହାଯାଉଥିବା ଦିଲ୍ଲୀରେ ବିଜୟ ବାନା ଉଡାଇବାକୁ ବିଜେପିର ସମସ୍ତ ପ୍ରୟାସକୁ ନିଷ୍ପ୍ରଭ କରି ଦେଇଛନ୍ତି ଅରବିନ୍ଦ କେଜ୍ରିିୱାଲ । ଆପର ଏହି ଅଦ୍ଭୁତପୂର୍ବ ବିଜୟ ପରେ ନିର୍ବାଚନୀ ରାଜନୀତିରେ ଏକ ନୂଆ ବ୍ୟାଖ୍ୟା ଆରମ୍ଭ ହୋଇଛି । ପୂର୍ବରୁ ମୋଦିଙ୍କ ଗୁଜରାଟ ମଡେଲକୁ ନେଇ ଯେପରି ଚର୍ଚ୍ଚା ହେଉଥିଲା, ଏବେ ଏହାର ସ୍ଥାନ ନେଇଛି କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ ।

ଦିଲ୍ଲୀର ବିକାଶ ନେଇ ଯେଉଁ ସବୁ କାର୍ଯ୍ୟ ଆପ୍ ସରକାର ହାତକୁ ନେଇଥିଲେ, ଯାହାକୁ ନେଇ ସାରା ଦେଶରେ ସେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ, ବିଜୟ ପରେ ସେହି ସଫଳତାକୁ ଦୋହରାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ନଜର ପକାଇବା, କ’ଣ ଥିଲା କେଜ୍ରିୱାଲଙ୍କ ବିକାଶ ଫର୍ମୁଲା

୨୦୦ ୟୁନିଟର ମାଗଣା ବିଜୁଳି
ମାସିକ ୨୦ ହଜାର ଲିଟର ମାଗଣା ପାଣି
ସ୍ୱାସ୍ଥ୍ୟସେବାକୁ ସୁଲଭ କରିବା ପାଇଁ ମହଲା କ୍ଲିନିକ୍
ସରକାରୀ ସ୍କୁଲର ଢାଂଚାରେ ବ୍ୟାପକ ପରିବର୍ତ୍ତନ
ମହିଳାଙ୍କ ପାଇଁ ମାଗଣା ବସ୍ ଓ ମେଟ୍ରୋ ଟ୍ରେନ୍
ବସ୍ତି ଅଂଚଳରେ ପକ୍କାଘର
ଗଳିକନ୍ଦିରେ ସିସିଟିଭି କ୍ୟାମେରା ଓ ମାଗଣା ୱାଇଫାଇ

ଦିଲ୍ଲୀବାସୀ ଯେଉଁ ମୌଳିକ ସମସ୍ୟା ନେଇ ସନ୍ତୁଳି ହେଉଥିଲେ, ସେହି ମୌଳିକ ସେବା କିପରି ସୁଲଭ ହେବ, ଏହା ଉପରେ ଗୁରୁତ୍ୱ ଦେଇଥିଲେ କେଜ୍ରିୱାଲ । ଯାହା ଦିଲ୍ଲୀର ସାଧାରଣ ଜନତାକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଏହାଛଡ଼ା ବିଜେପିର ରଣନୀତିକୁ ଭଣ୍ଡୁର କରିବା ପାଇଁ ସଫଳ ଗୋଟିଚାଳନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପଦେ ବି କହି ନଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ବିବାଦୀୟ ମନ୍ତବ୍ୟ ଠାରୁ ଦୂରେଇ ରହିବା ସହ ବିକାଶ ଉପରେ ସମସ୍ତଙ୍କ ନଜରକୁ କେନ୍ଦ୍ରୀଭୂତ କରିଥିଲେ, ଯାହା ତାଙ୍କୁ ପୁଣିଥରେ ପିନ୍ଧାଇ ଦେଇଛି ଦିଲ୍ଲୀର ବିଜୟ ତିଳକ ।