ମୋଦି ହେଉଛନ୍ତି ମୋର ପ୍ରଧାନମନ୍ତ୍ରୀ, ଦିଲ୍ଲୀ ନିର୍ବାଚନରେ ମୁଣ୍ଡ ଖେଳାଇଲେ ବରଦାସ୍ତ କରିବୁନି । ଜାଣନ୍ତୁ ନିର୍ବାଚନ ତାତି ଭିତରେ କାହିଁକି ଏମିତି କହିଲେ କେଜ୍ରିୱାଲ ।

583

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପାକିସ୍ତାନ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ଖେଳାଇବାକୁ ରୋକଠୋକ କହିଛନ୍ତି କେଜ୍ରିୱାଲ । ଏହି ଘଟଣା ସେତେବେଳେ ହୋଇଛି ଯେତେବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଶାନା କରିଥିଲେ ଫୱାଦ ।

ଫୱାଦ ଟ୍ୱିଟ୍ କରି କହିଥିଲେ , ଭାରତର ଲୋକଙ୍କୁ ହରାଇବାକୁ ପଡିବ । ଖାସକରି ନିଜ ଟ୍ୱିଟରେ ମୋଦିଙ୍କୁ ଟାର୍ଗେଟ କରି ଫୱାଦ କହିଛନ୍ତି ଯେ, ଆଉ ଗୋଟିଏ ରାଜ୍ୟ ହାତରୁ ଖସିଯିବା ଡରରେ ମୋଦି ହାସ୍ୟାସ୍ପଦ ଦାବି କରୁଛନ୍ତି । ଖାସକରି ନାଗରିକତା ଆଇନ, କାଶ୍ମୀରକୁ ନେଇ ଆସୁଥିବା ପ୍ରତିକ୍ରିୟା ଓ ଭୁଶୁଡିପଡିଥିବା ଅର୍ଥବ୍ୟବସ୍ଥାକୁ ନେଇ ନିଜର ସନ୍ତୁଳନ ହରାଇଲେଣି ମୋଦି । ତେବେ ଏହାର କଡା ଜବାବ ଦେଇଛନ୍ତି କେଜ୍ରିୱାଲ ।

ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଓ ମୋର ମଧ୍ୟ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ନିର୍ବାଚନ ଭାରତର ଆଭ୍ୟନ୍ତରୀଣ ମାମଲା । ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପୋତ୍ସାହିତ କରୁଥିବା ଦେଶ ପାକିସ୍ତାନ ଏଥିରେ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ । ପାକିସ୍ତାନ ଯେତେ ଚେଷ୍ଟା କଲେ ମଧ୍ୟ ଭାରତୀୟଙ୍କ ମଧ୍ୟରେ ଥିବା ଏକତାକୁ ଭଙ୍ଗ କରିପାରିବେ ନାହିଁ ।

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ଗୁଡିକ ମଧ୍ୟରେ ବୟାନବାଜି ଜୋର ଧରିଛି । କେତେବେଳେ ବିଜେପି ସାଂସଦ କ୍ରେଜିୱାଲଙ୍କୁ ଆତଙ୍କବାଦୀ କହୁଛନ୍ତି ତ ପୁଣି କେତେବେଳେ ଆପ ପକ୍ଷରୁ ମୋଦି ସରକାରଙ୍କୁ ଟାର୍ଗେଟ କରାଯାଉଛି । ଏପରିକି ପ୍ରଚାର ସମୟରେ କେଜ୍ରିୱାଲ କହିଛନ୍ତି, ଯଦି ଆପଣ ମୋତେ ନିଜର ପୁଅ ବୋଲି ଭାବୁଛନ୍ତି ତେବେ ଭୋଟ ଦିଅନ୍ତୁ ଏବଂ ଯଦି ଆତଙ୍କବାଦୀ ମାନୁଥାନ୍ତି ତେବେ ବିଜେପିକୁ ଭୋଟ ଦିଅନ୍ତୁ ।