କନକ ବ୍ୟୁରୋ : ଦିଲ୍ଲୀ ହିଟ୍ ଅଣ୍ଡ ରନ୍ ମାମଲର ମେଡ ବଦଳିବାରେ ଲାଗିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅଞ୍ଜଳୀ ଘଟଣା ଦିନ ଏକୁଟିଆ ନଥିଲେ । ଏବେ ଯେଉଁ ନୂଆ ଭିଡିଓ ଆସିଛି ସେହି ଭିଡିଓ ମୁତାବକ ଘଟଣାଦିନ ରାତିରେ ଅଂଜଳୀ ଏକୁଟିଆ ନଥିଲେ । ତାଙ୍କ ସହ ଜଣେ ବାନ୍ଧବୀ ମଧ୍ୟ ଥିଲେ । ଯିଏକି ତାଙ୍କ ସହ ସ୍କୁଟିରେ ବସିଛନ୍ତି । ଏବେ ଏହି ଭିଡଓ ମାମଲାକୁ ନୂଆ ମୋଡ ଦେଇଛି । ଅଂଜଳୀ ଓ ତାଙ୍କ ବାନ୍ଧବୀ ସେଦିନ ରାତି ୧୨ଟା ସମୟରେ ନିଶାସକ୍ତ ଅବସ୍ଥାରେ ଗାଡି ଧରି ବାହରିଥିଲେ । ରୋହୀଣି ସ୍ଥିତ ଏକ ହୋଟେଲରେ ଅଂଜଳୀ ଓ ତାଙ୍କର ବାନ୍ଧବୀ ରାତି ପ୍ରାୟ ୧୧ଟା ସମୟରେ ପହଁଚିଥିଲେ । ଏଠାରେ ଏକ ରୁମ ବୁକ କରିଥିଲେ । ଅନ୍ୟ ଏକ ରୁମରେ ଥିବା କିଛି ଲୋକଙ୍କୁ ସେମାନେ ଭେଟିଥିଲେ । ଏମାନଙ୍କ ମଧ୍ୟରେ ୫ ମିନିଟ ଧରି ଝଗଡା ମଧ୍ୟ ହୋଇଥିଲା । ଏହା ପରେ ହୋଟେଲରୁ ବାହାରି ଚାଲିଯାଇଥିଲେ ଅଂଜଳୀ ଓ ତାଙ୍କ ବାନ୍ଧବୀ । ସେଦିନର ଏହି ଘଟଣା ବାବଦରେ ସେହି ହୋଟେଲ କର୍ମଚାରୀ ସୂଚନା ଦେଇଛନ୍ତି ।

ତଦନ୍ତ ସମୟରେ ପୋଲିସ ଅଞ୍ଜଳି ଯେଉଁ ରାସ୍ତାରେ ଯାଇଥିଲେ ତାକୁ ଟ୍ରେସ କରି ତଦନ୍ତକୁ ନେଇଥିଲା ପୋଲିସ । ଦୁର୍ଘଟଣା ସମୟରେ ଅଞ୍ଜଳିଙ୍କ ବାନ୍ଧବୀ ସ୍କୁଟିରୁ ଖସିପଡ଼ିଥିବା ବେଳେ ଅଳ୍ପ ଆହତ ହୋଇଥିଲେ । ହେଲେ ଦୁର୍ଘଟଣାରେ ଅଞ୍ଜଳୀଙ୍କୁ ୧୨ କିଲୋମିଟର ପର୍ଯ୍ୟନ୍ତ କାର୍ ଘୋଷାଡି ନେଇଥିଲା । ସେପଟେ ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ତୁରନ୍ତ ଏହି ଘଟଣାରେ ରିପୋର୍ଟ ଦେବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା । ଏଥିସହ ଗୃହମନ୍ତ୍ରୀଙ୍କ ସହ ଭେଟିଛନ୍ତି ଦିଲ୍ଲୀ ପୁଲିସ କମିଶନର ସଂଜୟ ଆରୋଡା ।

ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ଅପରାଧୀଙ୍କ ନାଁ ଜାରି କରିଛି । ପୁଲିସ କହିଛି ଏମାନଙ୍କ ନାଁ ହେଉଛି ମନୋଜ ମିତଲ,ଯିଏକି ଜଣେ ବିଜେପି ସଦସ୍ୟ । ଦୀପକ ଖନ୍ନା ଜଣେ ଡ୍ରାଇଭର, ଅମିତ ଖନ୍ନା ଜଣେ ବ୍ୟାଙ୍କ କର୍ମଚାରୀ, କ୍ରିଷ୍ଣା ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ମିଥୁନ ଜଣେ ହେୟାର ଡ୍ରେସର । ଆମ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ଏକ ଫଟୋ ଟୁଇଟ କରିଛନ୍ତି । ଯେଉଁଥିରେ ମନୋଜ ମିତଲଙ୍କ ଫଟୋ ବିଜେପି ହୋଡିଙ୍ଗସରେ ଦେଖିବାକୁ ମିଳିଛି । ସେପଟେ ପୁଲିସ କହିଛି ଏହି ସମସ୍ତ ଅପରାଧୀ ହେଉଛନ୍ତି ସୁଲତାନପୁରୀ ଅଂଚଳର । ଆଇପିସି ଧାରା ୨୯୭ ଅନୁଯାୟୀ ଅପରାଧିକ ଷଡଯନ୍ତ୍ରରେ ମାମଲା ରୁଜୁ ହୋଇଛି ।

ନୂଆବର୍ଷ ରାତିରେ ୫ଜଣ ବ୍ୟକ୍ତିଙ୍କ କାରରେ ପ୍ରଥମେ ଅଂଜଳୀଙ୍କ ଗାଡି ଦୁର୍ଘଟଣାଗସ୍ତ ହୁଏ ପରେ ଗାଡିର ବମ୍ପର ତଳେ ଅଂଜଳୀ ଫଶିବା ଯୋଗୁଁ ୧୨ କିଲୋମିଟର କାର୍ ତାଙ୍କୁ ଘାଷାଡି ନେବା ଘଟଣାକୁ ନେଇ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି ।