କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ଘାତକ ବୋଲିଂ କରି ଭାରତକୁ ଫାଇନାଲ ଟିକେଟ ଭେଟି ଦେଇଛନ୍ତି ମହମ୍ମଦ ସାମି । ନ୍ୟୁଜିଲାଣ୍ଡ ବିପକ୍ଷରେ ୭ଟି ୱିକେଟ ହାସଲ କରି ଭାରତକୁ ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ବିଶ୍ୱକପ ଫାଇନାଲରେ ପହଞ୍ଚାଇଛନ୍ତି ସାମି । ଏଭଳି ଦମଦାର ବୋଲିଂ ପାଇଁ ପୂରା ବିଶ୍ୱ ସାମିଙ୍କ ପ୍ରଂଶସାରେ ଶତମୁଖ । ପ୍ରତିଟି ଭାରତୀୟଙ୍କ ମୁହଁରେ ସାମିଙ୍କ ବୋଲିଂକୁ ନେଇ ପ୍ରଂଶସା । କିନ୍ତୁ ଏହି ପ୍ରଂଶସା ଭିତରେ ଦିଲ୍ଲୀ ପୋଲିସର ସୋସିଆଲ ମିଡ଼ିଆ ପୋଷ୍ଟ କିଛି ସମୟ ପାଇଁ ସମସ୍ତଙ୍କୁ ଚକିତ କରିଥିଲା । ଭାରତର ମ୍ୟାଚ୍ ବିଜୟ ପରେ ଦିଲ୍ଲୀ ପୋଲିସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଥିଲା, ଭାବୁଛୁ ମୁମ୍ବାଇ ପୋଲିସ ଏଭଳି ଆକ୍ରମଣ ପାଇଁ ମହମ୍ମଦ ସାମିଙ୍କୁ ଗିରଫ କରିନଥିବ । ଏହି ପୋଷ୍ଟ ଦେଖି କ୍ରିକେଟପ୍ରେମୀ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ । ସାମି ଏମିତି କାହାକୁ ଆକ୍ରମଣ କଲେ ଯେ, ତାଙ୍କୁ ଗିରଫ କରିବା ପର୍ଯ୍ୟନ୍ତ କଥା ଉଠିଲାଣି । କିନ୍ତୁ ପରେ ଜଣାପଡିଥିଲା ଯେ, ଦିଲ୍ଲୀ ପୋଲିସ ଏଭଳି ପୋଷ୍ଟ ସାମିଙ୍କ ପ୍ରଂଶସାରେ କରିଥିଲା ଏବଂ ତାହା ବି ପୁଣି ନିଆରା ଅନ୍ଦାଜରେ ।

Advertisment

ଦିଲ୍ଲୀ ପୋଲିସର ଏହି ପୋଷ୍ଟର ଜବାବ ମୁମ୍ବାଇ ପୋଲିସ ମଜାଳିଆ ଅନ୍ଦାଜରେ ଦେବା ସହ ଲେଖିଛି, ଆପଣ ଅଗଣିତ ଲୋକଙ୍କ ହୃଦୟ ଚୋରାଇଥିବା ଧାରା ସାମିଙ୍କ ବିରୋଧରେ ଲଗାଇନାହାନ୍ତି ଏବଂ ସହ-ଅଭିଯୁକ୍ତଙ୍କ ତାଲିକା ମଧ୍ୟ ଦେଇନାହାନ୍ତି । ମୁମ୍ବାଇ ପୋଲିସର ଏହି ଇସାରା ସାମିଙ୍କ ସମେତ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା କୋହଲି, ଆୟର, ଶୁଭମନ ଗିଲଙ୍କ ଆଡକୁ ଥିଲା । ଯେଉଁମାନଙ୍କୁ ପ୍ରଂଶସା କରିବାକୁ ଦିଲ୍ଲୀ ପୋଲିସ ଭୁଲିଯାଇଥିଲା । ତେବେ ଏହି ପୋଷ୍ଟ କିଛି ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହାକୁ ୟୁଜର୍ସ ବେଶ ପସନ୍ଦ କରୁଥିବାର ଦେଖିବାକୁ ମିଳିଥିଲା ।

ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ସାମିଙ୍କ ୭ ୱିକେଟ ଭାରତକୁ ଫାଇନାଲ ଟିକେଟ ଆଣିଦେଇଥିଲା । କାରଣ ଯେଉଁଭଳି ଢଙ୍ଗରେ ନ୍ୟୁଜିଲାଣ୍ଡର ୱିଲିୟମସନ ଓ ମିଚେଲ ବ୍ୟାଟିଂ କରୁଥିଲେ ଲାଗୁଥିଲା ଭାରତ ହାତରୁ ମ୍ୟାଚ୍ ଖସି ଯାଇପାରେ । ଉଭୟଙ୍କ ମଧ୍ୟରେ ୧୮୧ ରନର ପାର୍ଟନରସିପ ମଧ୍ୟ ହୋଇ ସାରିଥିଲା । ଭାରତୀୟ ପ୍ରଂଶସକ ଧୀରେ ଧୀରେ ଆଶା ହରାଉଥିବା ବେଳେ ୱିଲିୟମସନଙ୍କ ୱିକେଟ ନେଇ ପୁଣିଥରେ ମ୍ୟାଚକୁ ଫେରିଥିଲା ଟିମ୍ ଇଣ୍ଡିଆ । ଏହାପରେ ସାମିଙ୍କୁ ଅଟକାଇବା ଆଉ ସମ୍ଭବ ନଥିଲା । ନ୍ୟୁଜିଲାଣ୍ଡର ଖେଳାଳୀଙ୍କୁ କ୍ରିଜରେ ବେଶି ସମୟ ତିଷ୍ଠିବାକୁ ସମୟ ଦେଇନଥିଲେ ସାମି । ଜଣକ ପରେ ଜଣେ କିୱି ଖେଳାଳୀଙ୍କ ଶିକାର କରି ୭ଟି ୱିକେଟ ହାତେଇ ଭାରତର ବିଜୟରେ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସାମି । ଚଳିତ ବିଶ୍ୱକପରେ ସାମି ଏବେସୁଦ୍ଧା ସର୍ବାଧିକ ୱିକେଟ ହାସଲ କରିଛନ୍ତି । ୬ଟି ମ୍ୟାଚରୁ ଏବେସୁଦ୍ଧା ସାମି ୨୩ଟି ୱିକେଟ ହାସଲ କରିଛନ୍ତି ।