କନକ ବ୍ୟୁରୋ : ଦିଲ୍ଲୀର ଝାନସୀରୋଡ ସ୍ଥିତ ଶସ୍ୟ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବର୍ତମାନ ସୁଦ୍ଧା ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଘଟଣାକୁ ନେଇ ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ୍ । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ସର୍ଟସର୍କିଟ୍ ଯୋଗୁଁ ଏଭଳି ଏକ ଅଗ୍ନିକାଣ୍ଡ ଘଟିଛି । ଏପଟେ ଦିଲ୍ଲୀ ଓ କେନ୍ଦ୍ର ସରକାର ମୃତାହତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ।
ସମୟ- ସକାଳ ୫ଟା ୨୨ । ସ୍ଥାନ - ଉତ୍ତର ଦିଲ୍ଲୀ । ସକାଳର ଅଳସ ଭାଙ୍ଗୁଥାଏ ଦିଲ୍ଲୀ ସହର । ଆଉ ଠିକ୍ ଏତିକି ବେଳେ ଆର୍ତ ଚିତ୍କାରରେ ଭାଙ୍ଗିଗଲା ଲୋକଙ୍କ ନିଦ । କେହି କିଛି ବୁଝିବା ଆଗରୁ ହୁତୁ ହୁତୁ ହୋଇ ଜଳୁଥିଲା ଝାନସୀ ରୋଡରେ ଥିବା ଶସ୍ୟ ମଣ୍ଡି । ହୁତୁ ହୁତୁ ହୋଇ ଜଳୁଥିଲା ନିଆଁ, ଚାହୁଁ ଚାହୁଁ ଅନେକ କିଛି ଛାରଖାର ହୋଇଯାଇଥିଲା । ଆଉ ଏହାରି ଭିତରୁ ଉଦ୍ଧାରକାରୀ ଦଳ ଗୋଟିଏ ପରେ ଗୋଟିଏ ମୃତ ଦେହ ବାହାରକୁ ଆଣିଥିଲେ ।
ନିଆଁ ଲାଗିଥିବା ତିନି ମହଲା କୋଠାର ତଳେ ଥିଲା ଶସ୍ୟ ମଣ୍ଡି, ଦ୍ୱିତୀୟ ମହଲାରେ ବ୍ୟାଗ ଫ୍ୟାକ୍ଟ୍ରି ଓ ଉପର ମହଲାରେ ଥିଲା ପାଉଁରୁଟି କାରଖାନା । ସର୍ଟ ସର୍କିଟ ହୋଇ ପାଉଁରୁଟି କାରଖାନାରେ ନିଆଁ ଲାଗି ସମଗ୍ର କୋଠାକୁ ବ୍ୟାପିଯାଇଥିଲା । ଫଳରେ ଏଥିରେ କାମ କରୁଥିବା ଏବଂ ରାତିରେ ରହୁଥିବା ଲୋକେ ନିଆଁ ଭିତରେ ଫସି ରହିଥିଲେ ।
ଅଗ୍ନିକାଣ୍ଡ ସମୟରେ କାରଖାନାରେ ଥିଲେ ୧୫୦ ଶ୍ରମିକ
ଅଧିକାଂଶ ଶ୍ରମିକ ଅଗ୍ନିକାଣ୍ଡ ସମୟରେ ନିଦରେ ଥିଲେ
ଗେଟ୍ ତାଲା ପଡିଥିଲା, ଭିତରେ ଛଟପଟ ହେଉଥିଲେ ଶ୍ରମିକ
ଗ୍ରିଲ୍ କାଟି ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା
ନିଆଁ ଅପେକ୍ଷା ଧୁଆଁ ନେଲା ଅଧିକ ଜୀବନ
ଅଣଓସାରିଆ ସ୍ଥାନରେ ଫ୍ୟାକ୍ଟ୍ରି ଥିବାରୁ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଥିଲା
ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା
ଶସ୍ୟ ମଣ୍ଡିରେ ଅଗ୍ନିକାଣ୍ଡ ପରେ ୩୦ଟି ଦମକଳ ଗାଡି, ୧୫୦ ଅଗ୍ନିଶମବାହିନୀ ଓ ଏନଡିଆରଏଫ କର୍ମଚାରୀ ନିଆଁ ଲିଭାଇ ଆହତଙ୍କୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରି ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ମୃତକଙ୍କ ପରିବାରକୁ ଦିଲ୍ଲୀ ସରକାର ୧୦ଲକ୍ଷ ଓ କେନ୍ଦ୍ର ସରକାର ୨ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଗତ ତିନି ଦଶନ୍ଧି ଭିତରେ ଝାନସୀ ରୋଡ ଶସ୍ୟ ମଣ୍ଡି ଅଗ୍ନିକାଣ୍ଡ ଦ୍ୱିତୀୟ ବଡ ଅଗ୍ନିକାଣ୍ଡ ବୋଲି କୁହାଯାଉଛି । ପୂର୍ବରୁ ୧୯୯୭ ମସିହାରେ ଦିଲ୍ଲୀର ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ୫୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/vlcsnap-2019-12-08-19h15m56s269.png)