ଦିଲ୍ଲୀ ପ୍ରଦୂଷଣ ନେଇ ପୁଣି ବର୍ଷିଲେ ସୁପ୍ରିମକୋର୍ଟ । କେଜ୍ରିୱାଲ ସରକାରଙ୍କ ନିର୍ମାଣ କାର୍ଯ୍ୟ କଟକଣା କୋହଳ ଉପରେ ପୁଣି ଲଗାଇଲେ ପ୍ରତିବନ୍ଧକ

79

କନକ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣକୁ ନେଇ ପୁଣି ତାତିଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ପ୍ରଭାବିତ ହୋଇଥିବା ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ଏନ.ଭି ରମଣା । ରାଜଧାନୀରେ ବାୟୁ ପ୍ରଦୂଷଣ ସୁଧୁରୁଥିବା ଦର୍ଶାଇ ସୋମବାର ନିର୍ମାଣ କାର୍ଯ୍ୟ ବନ୍ଦ ଉପରୁ ପ୍ରତିବନ୍ଧକ ଉଠାଇଥିଲେ କେଜ୍ରିୱାଲ ସରକାର । ତେବେ ଦିଲ୍ଲୀ ସରକାରଙ୍କ ଏହି ଘୋଷଣାକୁ ନେଇ କ୍ଷୁବ୍ଧ ହେବା ସହ ପୁଣିଥରେ ନିର୍ମାଣକାମ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି ସରକାର । ପରିସ୍ଥିତି ବିଗୁଡୁୁଥିବା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି କହିଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାଏ । ସେହିପରି ଡିସେମ୍ବର ୩ ତାରିଖ ପର୍ଯନ୍ତ ସହର ଭିତରେ ଭାରିଯାନ ପ୍ରବେଶ ନେଇ ମଧ୍ୟ କଟକଣା ଲଗାଇଛନ୍ତି ସରକାର । ଅନ୍ୟପଟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ଦିଆଯିବା ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପ୍ରତି ନିର୍ମାଣ ଶ୍ରମିକଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।