ବିଷାକ୍ତ ବାୟୁ ବଳୟ ଭିତରେ ଦିଲ୍ଲୀ । ପ୍ରଦୂଷଣ ରୋକିବାକୁ ହେବ କି ଲକଡାଉନ ?

111

କନକ ବ୍ୟୁରୋ : ଦିଲ୍ଲୀର ବାୟୁର ମାନ ଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି । ପ୍ରଦୂଷଣ ସ୍ତର ଅତି ଖରାପ ସ୍ତରରେ ପହଞ୍ଚିଛି । ଏ ନେଇ ପୁଣି କ୍ଷୋଭ ପ୍ରକାଶ କରିଛନ୍ତି ସୁପିମକୋର୍ଟ । ପ୍ରଦୂଷିତ ରାଜ୍ୟକୁ ନେଇ ଜରୁରୀକାଳିନ ବୈଠକ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଦିଲ୍ଲୀ ସରକାର କହିଛନ୍ତି, ସମ୍ପୂର୍ଣ୍ଣ ଲକଡାଉନ ପାଇଁ ଦିଲ୍ଲୀ ପ୍ରସ୍ତୁତ ଅଛି । ଯଦି ଲକଡାଉନ ହୁଏ ତେବେ ପ୍ରଥମ ଥର ପାଇଁ କରୋନା ନୁହେଁ ପ୍ରଦୂଷଣ ପାଇଁ ଏପରି ଲକଡାଉନ ହେବ । ଆଜିର ଶୁଣାଣି ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେ ହେଉଛି ଦିଲ୍ଲୀରେ ଯାନବାହାନ ଚଳାଚଳ, କାରଖାନାରୁ ନିର୍ଗତ ଧୁଆଁ ଓ ଧୂଳିକଣା ହିଁ ପ୍ରଦୂଷଣର ମୁଖ୍ୟ କାରଣ । କୃଷକଙ୍କ ନଡା ପୋଡିବାକୁ ଯେମିତି ମୁଖ୍ୟ କାରଣ ବୋଲି କୁହାଯାଉଥିଲା, ଏହା ମାତ୍ର ୪ରୁ ୧୦ପ୍ରତିଶତ ପ୍ରଦୂଷଣ ସୃଷ୍ଟି କରୁଛି । ତେବେ ଏହା କମ୍ କରିବା ପାଇଁ ଦିଲ୍ଲୀ ସୀମାକୁ ଲାଗି ରହିଥିବା ୪ଟି ରାଜ୍ୟ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ବିଷାକ୍ତ ବାୟୁ ବଳୟ ଭିତରେ ଦିଲ୍ଲୀ । ପ୍ରଦୂଷଣ ରୋକିବାକୁ ହେବ କି ଲକଡାଉନ ? ଧୂଆଁ ଓ ଧୂଳିକଣାରେ ଭରି ରହିଛି ରାଜଧାନୀ ଦିଲ୍ଲୀର ପରିବେଶ । ଦିନ ପରେ ଦିନ ବିତୁଛି, ହେଲେ ପ୍ରଦୂଷଣ ସ୍ତରରେ ଉନ୍ନତି ଆସୁନାହିଁ । ସ୍କୁଲ ଓ ନିର୍ମାଣ କାମକୁ ବନ୍ଦ କରିଦେଇଛନ୍ତି କେଜ୍ରିୱାଲ ସରକାର । ଏହି ପ୍ରସଙ୍ଗରେ ପୁଣି ଥରେ କ୍ଷୋଭ ପ୍ରକାଶ କରିବା ସହ ପଞ୍ଜାବ, ହରିଆଣା, ଦିଲ୍ଲୀ ଓ ୟୁପି ସରକାରଙ୍କୁ ନେଇ ଜରୁରୀ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଅନାବଶ୍ୟକ ଯାନବାହନ ଚଳାଚଳ, ଶିଳ୍ପାନୁଷ୍ଠାନ ପ୍ରଦୂଷଣକୁ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପଟେ କେନ୍ଦ୍ର ପକ୍ଷରୁ ଦିଲ୍ଲୀ ପାଇଁ ୩ଟି ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଦିଆଯାଇଛି ।
*ଯୁଗ୍ମ-ଅଯୁଗ୍ମ ଯାନବାହନ ଚଳାଚଳ ଫର୍ମୁଲା
*ଦିଲ୍ଲୀରେ ଟ୍ରକ ଚଳାଚଳ ନିଷିଦ୍ଧ
*ସାମୟିକ ଲକଡାଉନ ଭଳି ନିୟମ ଲାଗୁ କରିବା ନେଇ ପ୍ରସ୍ତାବ ଦିଆଯାଇଛି 

ସେପଟେ ପଡ଼ୋଶୀ ରାଜ୍ୟର ଚାଷୀ ନଡ଼ା ପୋଡୁଥିବାରୁ ୩୦ରୁ ୪୦ ପ୍ରତିଶତ ବାୟୁ ପ୍ରଦୂଷଣ ହେଉଛି ବୋଲି ଦିଲ୍ଲୀ ସରକାର କହି ଆସୁଥିବା ବେଳେ ସୁପ୍ରିମକୋର୍ଟରେ ଏ ନେଇ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ମାତ୍ର ୪ରୁ ୧୦ ପ୍ରତିଶତ ପ୍ରଦୂଷଣ ଏଥିଯୋଗୁଁ ହେଉଛି ବୋଲି କହିଛି କେନ୍ଦ୍ର । ପଡୋଶୀ ପଞ୍ଜାବ ଓ ହରିଆଣା ଚାଷୀ ଫସଲ ପରେ ଯେପରି ନଡା ନଜାଳିବେ, ସେନେଇ ଠୋସ ପଦକ୍ଷେପ ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପରିସ୍ଥିତି ଏପରି ଉତ୍କଟ ହୋଇଛି ଯେ ଦିଲ୍ଲୀରେ ଦୁଇ ଦିନିଆ ଲକଡାଉନ କରିବାକୁ ଚାଲିଛି ବିଚାର ବିମର୍ଶ । ସ୍କୁଲ, ନିର୍ମାଣ କାମ ବନ୍ଦ କରାଯାଇଥିବା ବେଳେ କର୍ମଚାରୀଙ୍କ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ଦୀପାବଳିରେ ପରେ ରାଜଧାନୀ ଦିଲ୍ଲୀର ପରିବେଶ ବିଷାକ୍ତ ହେବାରେ ଲାଗିଛି ।