ଧିରେ ଧିରେ କମୁଛି ଦିଲ୍ଲୀ ବାୟୁ ପ୍ରଦୂଷଣ: ରାଜଧାନୀରେ ନିର୍ମାଣ କାମ ଜାରି ରଖିବାକୁ ନିଷ୍ପତି ନେଲେ କେଜ୍ରିୱାଲ ସରକାର

59

କନକ ବ୍ୟୁରୋ: ଦେଶ ରାଜଧାନୀରୁ ଧିରେ ଧିରେ କମୁଛି ପ୍ରଦୂଷଣ । ହଟୁଛି ଧୂଆଁର ବଳୟ, ଆଉ ସଫା ହେଉଛି ଆକାଶ । କମୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ପ୍ରଶାସନ ଲଗାଇଥିବା ପ୍ରତିବନ୍ଧକକୁ ସାମାନ୍ୟ ହଟାଇଛି । ଏଣିକି ଦିଲ୍ଲୀରେ ନିର୍ମାଣ କାମ ଜାରି ରଖିବାକୁ କହିଛି କେଜ୍ରିୱାଲ ସରକାର । ହେଲେ ଏବେ ବି ସ୍କୁଲ, କଲେଜ ରହିବ ବନ୍ଦ ।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ସାମାନ୍ୟ କମ୍ ହେଉଥିବା ପରିଲକ୍ଷୀତ ହେଉଛି । ଯାହାକୁ ନେଇ ଦିଲ୍ଲୀ ସରକାର ପ୍ରଦୂଷଣ ପାଇଁ ଜାରି କରିଥିବା କଟକଣାକୁ ସାମାନ୍ୟ କୋହଳ କରିଛି । ସୋମବାର ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରୟ ଜରୁରୀ ବୈଠକ କରି ପ୍ରଦୂଷଣ ନିୟନ୍ତ୍ରଣ ନେଇ ଆଲୋଚନା କରିଛନ୍ତି । ଆଉ ବୈଠକରେ ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ଦିଲ୍ଲୀ ସରକାର । ଅନ୍ୟପଟେ ରାଜଧାନୀରେ ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।

ସେହିପରି ସରକାରୀ କର୍ମଚାରୀଙ୍କ ଘରୁ ରହି କାମ କରିବା ପ୍ରତିବନ୍ଧକ ମଧ୍ୟ ଜାରି ରହିଛି । ଏହାଛଡା ରାଜଧାନୀରେ ଟ୍ରକ ପ୍ରବେଶ ଉପରେ ମଧ୍ୟ କଟକଣା ବଳବତର ଅଛି ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେପଟେ ଦିଲ୍ଲୀର ଅନେତ ସ୍ଥାନରେ ଏବେବି ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି । ସୋମବାର ଦିଲ୍ଲୀର ଏୟାର କ୍ୱାଲିଟି ଇନ୍ଡେକ୍ସ ବା ଏକ୍ୱ୍ୟୁଆଇ ୩୫୨ ରେକର୍ଡ କରାଯାଇଛି । ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି । ପ୍ରଦୂଷଣ ପାଇଁ ଅନେକ ଲୋକ ଚର୍ମ ରୋଗ ସମେତ ଆଖିରେ ପୋଡା ଜଲା ଭଳି ସମସ୍ୟା ଭୋଗୁଛନ୍ତି ।

ସେପଟେ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ଦିଲ୍ଲୀ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି । କେଜ୍ରିୱାଲ ସରକାରଙ୍କ ଏତେ କଟକଣା ସତ୍ୱେ ରାଜଧାନୀର ପରିବେଶ ପ୍ରଦୂଷଣ କେବେ ନିୟନ୍ତ୍ରଣ ହେଉଛି ତାହା ଦେକିବାକୁ ବାକି ରହିଲା ।