ବିଷବଳୟରେ ବ୍ୟତିବ୍ୟସ୍ତ ଦିଲ୍ଲୀ । ଦୁଇଦିନ ପାଇଁ ପ୍ରାଥମିକ ସ୍କୁଲ ବନ୍ଦ, ଡିଜେଲ ବସ, କାର ଯାତାୟତରେ କଟକଣା

80

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଲଗାତର ପ୍ରଦୂଷିତ ବାୟୁ ଜବଜୀବନକୁ ଅସ୍ତବ୍ୟସ୍ତ କରୁଛି । ସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ଦିଲ୍ଲୀ ସରକାର କିଛି ବଡ଼ ନିଷ୍ପତି ନେଇଛନ୍ତି । ସ୍ଥିତି ଜଟିଳ ହେବାରୁ ଦୁଇ ଦିନ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ସବୁ ଘରୋଇ ଏବଂ ସରକାରୀ ପ୍ରାଥମିକ ସ୍କୁଲଗୁଡିକୁ ବନ୍ଦ ରଖଯାଇଛି । ବିଦ୍ୟାଳୟଗୁଡିକୁ ଅନଲାଇନରେ ପାଠ ପଢାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି । କେବଳ ନିର୍ମାଣ ନୁହେଁ ଭଙ୍ଗାରୁଜା କାର୍ଯ୍ୟ ମଧ୍ୟ ବନ୍ଦ ରଖାଯାଇଛି । ଏଥିସହ ଦିଲ୍ଲୀ ଭିତରକୁ ହାଲୁକା ବାଣିଜ୍ୟିକ ଯାନ ଏବଂ ଡିଜେଲ ଟ୍ରକ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ୫ ନିଷ୍ପତ୍ତି
-ଅନ୍ୟରାଜ୍ୟରୁ ଦିଲ୍ଲୀରେ ଡିଜେଲ କାର ଓ ବସ ପ୍ରବେଶ ଉପରେ କଟକଣା
-ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଯାନବାହନ କଟକଣାରୁ ବାଦ ପଡିଛନ୍ତି
-ଦିଲ୍ଲୀ-ଏନସିଆରରେ ରାଜପଥ, ଫ୍ଲାଏଓଭର, ପାଇପଲାଇନ୍ ଭଳି ସରକାରୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉପରେ ରୋକ୍
-ପରିବେଶ ଆଇନ୍ ସଠିକ୍ ଭାବେ କାର୍ଯ୍ୟକାରୀ ପାଇଁ ୬ଜଣିଆ ମନିଟରିଂ କମିଟି ଗଠନ
-ନିୟମ ଭାଙ୍ଗିଲ ଗଣିବାକୁ ପଡିବ ୨୦ହଜାର ଟଙ୍କା ଫାଇନ

ସେପଟେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜୋର ଧରିଛି । ଏପରିକି ବିଜେପି ନେତା ସେହେଜାଦ ପୁନାୱାଲ ଅଭିନବ ତରିକାରେ ଏହାର ପ୍ରତିବାଦ କରିଛନ୍ତି । ମୁହଁରେ ମାସ୍କ ଲଗାଇ ବିଜେପି ନେତା ମର୍ଣ୍ଣି ୱାକ କରୁଥିବା ଦେଖିବାକୁ ମିଳିଛି । ବିଜେପି କହିଛି କେଜ୍ରିୱାଲ ସରକାରଙ୍କ ପାଇଁ ଦିଲ୍ଲୀର ସ୍ଥିତି ଏଭଳି ହୋଇଛି । ସେପଟେ ଆମ ଆଦମୀ ପାର୍ଟି କହିଛି କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବା ଦରକାର ।

ପ୍ରତିଥର ପରି ଏଥରକ ମଧ୍ୟ ଦିଲ୍ଲିରେ ରହୁଥିବା ଲୋକମାନଙ୍କ ପାଇଁ ବଡ ସମସ୍ୟା ନେଇ ଆସିଛି ବାୟୁ ପ୍ରଦୁଷଣ । ଦିନକୁ ଦିନ ରାଜଧାନୀର ସ୍ଥିତି ବିଗୁଡୁଛି । ଆଗକୁ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପଜିବାନେଇ ସର୍ତକ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଉପୁଜିଥିବା ସ୍ଥିତିର ସମୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରୟ । ଦିଲ୍ଲୀରେ ଅଧିକାଂଶ ସ୍ଥାନରେ ବାୟୁର ମାନ ୪୦୦ ପାର କରିଛି । ଯାହା ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରଣ ବୋଲି କୁହାଯାଉଛି ।